ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଅନୁଗୋଳ, ୨୩.୦୭ : ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜୁନ୍ ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ପରିବହନ ବିଭାଗ ଦ୍ୱାରା କମିଟି ସଭ୍ୟଙ୍କୁ ଅବଗତ କରାଯାଇଥିଲା। ପରିବହନ ବିଭାଗ ସୂଚନା ଅନୁଯାୟୀ ଗତ ଜୁନ୍ ମାସରେ ଜିଲ୍ଲାରେ ମୋଟ ୩୯ଟି ଦୁର୍ଘଟଣା ଘଟିଥିବାବେଳେ ୧୫ଜଣଙ୍କର ମୃତ୍ୟୁ ଘଟିଛି ଓ ୨୪ଜଣ ଆହତ ହୋଇଛନ୍ତି । ଗତ ମାସରେ ପରିବହନ ବିଭାଗ ଦ୍ୱାରା ହୋଇଥିବା ଯାଞ୍ଚ ସମୟରେ ବିନା ହେଲମେଟରେ ଗାଡି ଚାଲଣ ଯୋଗୁଁ ୧୨୧୮ଜଣ, ଦ୍ରୁତ ଗାଡି ଚାଳନ କରିବା ଯୋଗୁଁ ୧୩୩୦ଜଣ , ମଦ୍ୟପାନ କରି ଗାଡି ଚାଳନା ନିମନ୍ତେ ୨୮ ଜଣ, ଅତ୍ୟଧିକ ମାଲ ପରିବହନ ନିମନ୍ତେ ୫୮ ଜଣଙ୍କଠାରୁ ଜୋରିମାନା ଆଦାୟ କରାଯାଇଥିବାବେଳେ ୩୮୮ ଜଣଙ୍କର ଲାଇସେନ୍ସ ରଦ୍ଦ କରାଯାଇଥିଲା । ବୈଠକର ନିଷ୍ପତ୍ତି ଅନୁସାରେ, ସହରର ପ୍ରମୁଖ ସ୍ଥାନରେ ସ୍ଥାପିତ ସମସ୍ତ ଏ.ଏନ୍.ପି.ଆର ( ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକୋଗ୍ନିସନ୍) କ୍ୟାମେରା ଆସନ୍ତା ଅଗଷ୍ଟ ମାସ ୧ ତାରିଖଠାରୁ କାର୍ଯ୍ୟକ୍ଷମ ହେବ। ଏହି ଦିନରୁ ହେଲମେଟ୍ ଏବଂ ସିଟ୍ ବେଲ୍ଟ ପିନ୍ଧିବା ନିୟମକୁ କଡ଼ାକଡ଼ି କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଳ ଜୈନ, ଆଇଏଏସ ପ୍ରୋବେସନର ଶ୍ରୀ ଅଭି ଜୈନ, ଅନୁଗୋଳ ଉପ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ପରିବହନ ଉପାୟୁକ୍ତ ଶ୍ରୀ ସମ୍ବିତ୍ କୁମାର, ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ଦାସ, ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିଖିଳ କୁମାର ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଶ୍ରୀ ସଂଗ୍ରାମ ରଞ୍ଜନ ଦାସଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।




