ଇଣ୍ଡିଆନ୍ ଆଇଡଲ୍ 16 ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ସମ୍ବର୍ଦ୍ଧନା, ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଇଣ୍ଡିଆନ୍ ଆଇଡଲ୍ ସିଜନ–୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଜାତୀୟ ସ୍ତରରେ ଓଡ଼ିଶାର ନାମ ଉଜ୍ଜ୍ୱଳ କରିଥିବାରୁ ତାଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି।
ସାକ୍ଷାତ ସମୟରେ ଜ୍ୟୋତିର୍ମୟୀ ନିଜର ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦର୍ଶନ କରିଥିଲେ। ଏହାସହ ପ୍ରତିଯୋଗିତାରେ ବିଜୟୀ ହେବା ପଛରେ ଥିବା କଠିନ ପରିଶ୍ରମ, ସାଧନା ଓ ସଂଘର୍ଷର ଅନୁଭବ ବାଣ୍ଟିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଜ୍ୟୋତିର୍ମୟୀ ନାୟକଙ୍କ ସଫଳତା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ, ନିଜର ପ୍ରତିଭା ଓ ନିଷ୍ଠା ବଳରେ ସେ ଦେଶର ସର୍ବୋଚ୍ଚ ସଙ୍ଗୀତ ରିଆଲିଟି ଶୋ’ରେ ବିଜୟୀ ହୋଇ ରାଜ୍ୟର ସମ୍ମାନ ବଢ଼ାଇଛନ୍ତି। ସେ ନୂଆ ପିଢ଼ିର କଣ୍ଠଶିଳ୍ପୀଙ୍କ ପାଇଁ ଏକ ପ୍ରେରଣା ବୋଲି ମଧ୍ୟ କହିଥିଲେ।
ଜ୍ୟୋତିର୍ମୟୀ ସଙ୍ଗୀତ ସହ ସମାଜସେବାରେ ମଧ୍ୟ ସକ୍ରିୟ। ରାଜ୍ୟର ବିଭିନ୍ନ କ୍ୟାନ୍ସର ହସ୍ପିଟାଲରେ ମ୍ୟୁଜିକ୍ ଥେରାପି ମାଧ୍ୟମରେ ରୋଗୀଙ୍କୁ ମାନସିକ ସହାୟତା ଯୋଗାଇବାର ତାଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ସେ ଜ୍ୟୋତିର୍ମୟୀଙ୍କୁ ଦେଶର ଜଣେ ଯୁବ ଆଇକନ୍ ବୋଲି ଅଭିହିତ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ଜ୍ୟୋତିର୍ମୟୀଙ୍କ ଭଳି ଯୁବ ପ୍ରତିଭାଙ୍କ ସଫଳତା ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ପ୍ରେରଣା ସୃଷ୍ଟି କରିବ। ଏହି ଅବସରରେ ଜ୍ୟୋତିର୍ମୟୀଙ୍କ ପିତା ଚକ୍ରଧର ନାୟକ ଓ ମାତା ଗୌରୀ ନାୟକ ଉପସ୍ଥିତ ଥିଲେ।



