ମଧ୍ୟାହ୍ନ ଭୋଜନରେ ମୃତ ଝିଟିପିଟି, ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ; ୬ ଜଣଙ୍କୁ ପୁରୀ ସ୍ଥାନାନ୍ତର
ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନକୁ ନେଇ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ଖାଦ୍ୟ ମଧ୍ୟରୁ ଏକ ମୃତ ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି। ଏହାପରେ ସେହି ଖାଦ୍ୟ ଖାଇଥିବା ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ।
ଘଟଣା ଜଣାପଡ଼ିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତରୀ ଦଳ ସେମାନଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ତେବେ ୬ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ପୁରୀ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ପରେ ଡେଲାଙ୍ଗ ହସ୍ପିଟାଲରେ ଅଭିଭାବକଙ୍କ ଭିଡ଼ ଜମିଥିଲା। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ପରିବେଷଣରେ ଗୁରୁତର ଅବହେଳା ହୋଇଥିବା ଅଭିଯୋଗ କରି ଅଭିଭାବକମାନେ ଶିକ୍ଷକ ଏବଂ ପାଚିକାଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି।
ଘଟଣାର କାରଣ ଏବଂ ଖାଦ୍ୟରେ କିପରି ଝିଟିପିଟି ପଡ଼ିଲା, ସେନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।



