୨୦ ମିଟର ଗଭୀର ଖାଇକୁ ଖସିଲା ଅମରନାଥ ଯାତ୍ରୀବାହୀ ବସ୍; ୩୧ ଆହତ, ଅଳ୍ପକେ ବର୍ତ୍ତିଲା ବଡ଼ ବିପର୍ଯ୍ୟୟ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ମଙ୍ଗଳବାର ସକାଳେ ଅମରନାଥ ତୀର୍ଥଯାତ୍ରାରୁ ଫେରୁଥିବା ଭକ୍ତମାନଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବାଲତାଲରୁ ଶ୍ରୀନଗର ଅଭିମୁଖେ ଯାଉଥିବା ବସ୍ଟି ହରିଗାନିୱାନ ନିକଟରେ ନିୟନ୍ତ୍ରଣ ହରାଇ ପ୍ରାୟ ୨୦ ମିଟର ଗଭୀର ଖାଇକୁ ଖସିପଡ଼ିଥିଲା।
ସୂଚନା ଅନୁସାରେ, ଭୋର ପ୍ରାୟ ସାଢ଼େ ୫ଟାରେ ଏସ୍-ଟର୍ଣ୍ଣ ନିକଟରେ ବସ୍ର ଚାଳକ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ରାସ୍ତା ଛାଡ଼ି ସିନ୍ଧ ନଦୀ କୂଳରେ ଥିବା ଗଭୀର ଖାଇକୁ ଖସିଯାଇଥିଲା। ଦୁର୍ଘଟଣା ସମୟରେ ବସ୍ରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ଘଟଣା ପରେ ନିକଟରେ ମୁତୟନ ଥିବା ଆଇଟିବିପି, ସିଆରପିଏଫ ଓ ଅନ୍ୟ ସୁରକ୍ଷା ବାହିନୀର ଜବାନମାନେ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ। ଆହତ ୩୧ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ କାଙ୍ଗନ ଉପ-ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି।
ସୁରକ୍ଷା ବାହିନୀର ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଥିବା ବେଳେ, ଦୁର୍ଘଟଣାର ପ୍ରକୃତ କାରଣ ନେଇ ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ସୂଚନା ଅନୁସାରେ, ଚାଳକଙ୍କ ନିୟନ୍ତ୍ରଣ ହରାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।



