ବନ୍ୟା କ୍ଷୟକ୍ଷତିର ହେବ ଆକାଶମାର୍ଗରୁ ସମୀକ୍ଷା; ଆଜି ପ୍ରଭାବିତ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧ ଅଗଷ୍ଟ: ରାଜ୍ୟର ବନ୍ୟା ପରିସ୍ଥିତି ଏବଂ କ୍ଷୟକ୍ଷତିର ସ୍ଥିତି ସମ୍ପର୍କରେ ସିଧାସଳଖ ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର ପରିଦର୍ଶନ କରିବେ।
ନୂଆଦିଲ୍ଲୀରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ସେ ସିଧାସଳଖ ହେଲିକପ୍ଟର ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତରେ ବାହାରିବେ। ଗସ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲା ସାମିଲ ରହିଛି।
ଏହା ସହିତ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ବନ୍ୟା କ୍ଷୟକ୍ଷତିର ମଧ୍ୟ ଆକାଶମାର୍ଗରୁ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିଦର୍ଶନ ଆଧାରରେ ରାଜ୍ୟ ସରକାର ପକ୍ଷରୁ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ମଧ୍ୟ ଏହି ଆକାଶମାର୍ଗ ପରିଦର୍ଶନରେ ସାମିଲ ହେବେ। ବନ୍ୟା ପ୍ରଭାବିତ ଅଞ୍ଚଳର ପ୍ରକୃତ ସ୍ଥିତି ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ।



