ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ୩ ଦିନିଆ ଓଡ଼ିଶା ଗସ୍ତ ଆରମ୍ଭ
ଭୁବନେଶ୍ୱର, ୩ ଅଗଷ୍ଟ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚି ୩ ଦିନିଆ ଓଡ଼ିଶା ଗସ୍ତର ଶୁଭାରମ୍ଭ କରିଛନ୍ତି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
ଭୁବନେଶ୍ୱରର ଲୋକସେବା ଭବନରେ କିଛି ସମୟ ବିତାଇବା ପରେ ରାଷ୍ଟ୍ରପତି ସଡ଼କପଥରେ କଟକ ଜିଲ୍ଲା ଡମପଡ଼ା ନିକଟ ବାଆଁରାସ୍ଥିତ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ ଉତ୍ସବରେ ଯୋଗଦେବେ। କାର୍ଯ୍ୟକ୍ରମ ଶେଷରେ ସେ ପୁଣି ଭୁବନେଶ୍ୱର ଫେରି ଲୋକସେବା ଭବନରେ ରାତ୍ରିଯାପନ କରିବେ।
୪ ଅଗଷ୍ଟ ସକାଳେ ରାଷ୍ଟ୍ରପତି ସ୍ୱତନ୍ତ୍ର ଟ୍ରେନ୍ରେ ଭୁବନେଶ୍ୱରରୁ ବ୍ରହ୍ମପୁର ଯିବେ। ସେଠାରୁ ସଡ଼କପଥରେ ତପ୍ତପାଣି ଉଷ୍ମପ୍ରସ୍ରବଣ ପରିଦର୍ଶନ କରିବା ସହ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବେ। ୫ ଅଗଷ୍ଟରେ ବ୍ରହ୍ମପୁରରୁ ପୁଣି ଭୁବନେଶ୍ୱର ଫେରି ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ଅଭିମୁଖେ ପ୍ରସ୍ଥାନ କରିବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବ୍ଲୁ ବୁକ୍ ନିୟମାବଳୀ ଅନୁଯାୟୀ କମିଶନରେଟ ପୁଲିସ ପୂର୍ବରୁ କାରକେଡ୍ ରିହର୍ସାଲ ସମ୍ପନ୍ନ କରିଥିବାବେଳେ, ପ୍ରାୟ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ବହୁ ବରିଷ୍ଠ ଅଧିକାରୀଙ୍କୁ ସୁରକ୍ଷା ଓ ଟ୍ରାଫିକ ପରିଚାଳନାରେ ନିୟୋଜିତ କରାଯାଇଛି।
ଗଞ୍ଜାମ ଜିଲ୍ଲାରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ରହ୍ମପୁର ରେଳ ଷ୍ଟେସନ୍, ତପ୍ତପାଣି, ଗୋଳାବନ୍ଧ ଆର୍ମି ଏଡି କଲେଜ ଏବଂ ସଂଲଗ୍ନ ଅଞ୍ଚଳକୁ ୪ ଓ ୫ ଅଗଷ୍ଟ ପାଇଁ ‘ନୋ-ଫ୍ଲାଇ ଜୋନ୍’ ଓ ‘ନୋ-ଡ୍ରୋନ୍ ଜୋନ୍’ ଘୋଷଣା କରାଯାଇଛି। ଏହି ସମୟରେ ଡ୍ରୋନ୍, ରିମୋଟ୍ ନିୟନ୍ତ୍ରିତ ଉଡ଼ାଣ ଯନ୍ତ୍ର କିମ୍ବା ବେଲୁନ୍ ଉଡ଼ାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ରହିବ।



