୭ଟି ସହରରେ ଗଢ଼ିଉଠିବ ପିଏମ୍ ମିତ୍ର ମେଗା ଟେକ୍ସଟାଇଲ୍ ପାର୍କ; ୬୮,୫୯୦ କୋଟିର ନିବେଶ ଆଗ୍ରହ
ନୂଆଦିଲ୍ଲୀ: ଦେଶର ବୟନ ଶିଳ୍ପକୁ ଆଧୁନିକ ଓ ବିଶ୍ୱସ୍ତରୀୟ କରିବା ସହ ବିପୁଳ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପିଏମ୍ ମିତ୍ର ମେଗା ଟେକ୍ସଟାଇଲ୍ ପାର୍କ ଯୋଜନା ଆଗକୁ ବଢ଼ୁଛି। ଲୋକସଭାରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବୟନ ରାଜ୍ୟମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିଟା।
ସରକାର ୨୦୨୧-୨୨ରୁ ୨୦୨୭-୨୮ ପର୍ଯ୍ୟନ୍ତ ୪,୪୪୫ କୋଟି ଟଙ୍କାର ଯୋଜନା ବ୍ୟୟରେ ୭ଟି ପିଏମ୍ ମିତ୍ର ପାର୍କ ସ୍ଥାପନକୁ ଅନୁମୋଦନ କରିଛି। ଏହି ପାର୍କଗୁଡ଼ିକରେ ବୟନ ଶିଳ୍ପର କଞ୍ଚାମାଲରୁ ଆରମ୍ଭ କରି ପ୍ରସ୍ତୁତ ପୋଷାକ ପର୍ଯ୍ୟନ୍ତ ସମଗ୍ର ମୂଲ୍ୟ ଶୃଙ୍ଖଳା ପାଇଁ ଏକୀକୃତ ଶିଳ୍ପ ଭିତ୍ତିଭୂମି ବିକଶିତ କରାଯିବ।
ଏହି ୭ଟି ସ୍ଥାନରେ ପାର୍କ ହେବ:
- ତାମିଲନାଡୁ – ବିରୁଧୁନଗର
- ତେଲେଙ୍ଗାନା – ୱାରଙ୍ଗଲ
- ଗୁଜରାଟ – ନବସାରୀ
- କର୍ଣ୍ଣାଟକ – କଲବୁର୍ଗୀ
- ମଧ୍ୟପ୍ରଦେଶ – ଧାର
- ଉତ୍ତରପ୍ରଦେଶ – ଲକ୍ଷ୍ନୌ
- ମହାରାଷ୍ଟ୍ର – ଅମରାବତୀ
ସରକାରଙ୍କ ଆକଳନ ଅନୁସାରେ, ପ୍ରତ୍ୟେକ ପାର୍କ ସମ୍ପୂର୍ଣ୍ଣ ହେବା ପରେ ପ୍ରାୟ ୩ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରେ। ଏଥିରୁ ପ୍ରାୟ ୧ ଲକ୍ଷ ପ୍ରତ୍ୟକ୍ଷ ଏବଂ ୨ ଲକ୍ଷ ପରୋକ୍ଷ ନିଯୁକ୍ତି ହେବାର ଆଶା ରହିଛି।
୬୮,୫୯୦ କୋଟିର ନିବେଶ ଆଗ୍ରହ
ପିଏମ୍ ମିତ୍ର ପାର୍କଗୁଡ଼ିକ ପ୍ରତି ଶିଳ୍ପ ଜଗତର ଆଗ୍ରହ ମଧ୍ୟ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ବିଭିନ୍ନ ପାର୍କ ପାଇଁ ୬୮,୫୯୦ କୋଟି ଟଙ୍କାର ନିବେଶ ଆଗ୍ରହ ମିଳିଥିବା ସରକାର କହିଛି।
ସମସ୍ତ ୭ଟି ରାଜ୍ୟ ସହ ଏମଓୟୁ ସ୍ୱାକ୍ଷର ହୋଇସାରିଛି ଏବଂ ସମସ୍ତ ସ୍ଥାନ ପାଇଁ ୧୦୦ ପ୍ରତିଶତ ଜମି ଉପଲବ୍ଧ କରାଯାଇଛି। ସମସ୍ତ ପାର୍କ ପାଇଁ ପରିବେଶ ମଞ୍ଜୁରୀ ମଧ୍ୟ ମିଳିଛି। ୫ଟି ଗ୍ରୀନଫିଲ୍ଡ ପାର୍କ ପାଇଁ ଜଏଣ୍ଟ ଭେଞ୍ଚର ଚୁକ୍ତି ସମ୍ପନ୍ନ ହୋଇ ଏସପିଭି ଗଠନ କରାଯାଇଛି।
ସମସ୍ତ ୭ଟି ପାର୍କ ପାଇଁ ମୋଟ ୧୩,୫୩୭ କୋଟି ଟଙ୍କାର ଡିପିଆର୍ ମଧ୍ୟ ଚୂଡ଼ାନ୍ତ ହୋଇଛି। ବୟନ ଶିଳ୍ପରେ ନୂଆ ନିବେଶ, ରପ୍ତାନି ବୃଦ୍ଧି ଓ ବ୍ୟାପକ ରୋଜଗାର ସୃଷ୍ଟିରେ ଏହି ପାର୍କଗୁଡ଼ିକ ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି।



