ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଆସିବ ସ୍ୱତନ୍ତ୍ର ପ୍ୟାକେଜ, ଚାଷୀଙ୍କୁ ମିଳିବ ସ୍ୱଳ୍ପ ମିଆଦି ଧାନ ବିହନ: ସୁରେଶ ପୂଜାରୀ
ଭୁବନେଶ୍ୱର: ଲଗାତାର ବନ୍ୟାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଭାବିତ ଲୋକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ନେଇ ସରକାର ପ୍ରସ୍ତୁତି ଚଳାଇଛନ୍ତି। କୃଷି, ସମବାୟ ଓ ପଶୁସମ୍ପଦ ବିଭାଗ ମାଧ୍ୟମରେ କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ବନ୍ୟା କ୍ଷୟକ୍ଷତିର ତଥ୍ୟ ସଂଗ୍ରହ ସହ ଡାଟାବେସ୍ ପ୍ରସ୍ତୁତି କାମ ଚାଲିଛି। ନିୟମାବଳୀ ଅନୁଯାୟୀ ଯେଉଁମାନଙ୍କର ଯେତିକି କ୍ଷତି ହୋଇଛି, ସେହି ଆଧାରରେ କ୍ଷତିପୂରଣ ଦିଆଯିବ। ବନ୍ୟା ପ୍ରଭାବିତ ଚାଷୀଙ୍କୁ ସ୍ୱଳ୍ପ ମିଆଦି ଧାନ ବିହନ ଯୋଗାଣ ସହ ପନିପରିବା ଚାଷୀଙ୍କୁ ମଧ୍ୟ ଅତିରିକ୍ତ ସହାୟତା ଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଯଦି କୌଣସି ଯୋଗ୍ୟ ବ୍ୟକ୍ତି ସରକାରୀ ସହାୟତାରୁ ବଞ୍ଚିତ ହୋଇଥାନ୍ତି, ତେବେ ସେମାନେ ନିକଟସ୍ଥ ପଞ୍ଚାୟତ କିମ୍ବା ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଜଣାଇପାରିବେ। ଏବେ ପର୍ଯ୍ୟନ୍ତ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ କୌଣସି କେନ୍ଦ୍ରୀୟ ଟିମ୍ ଆସିବାର ସୂଚନା ନାହିଁ। ଆବଶ୍ୟକତା ଅନୁଭବ ହେଲେ କେନ୍ଦ୍ର ସରକାରଙ୍କଠାରୁ ଅଧିକ ସହାୟତା ମଗାଯିବ ବୋଲି ସେ କହିଛନ୍ତି।
୧୫ ଦିନରେ ୨୪ ଜିଲ୍ଲା ପ୍ରଭାବିତ
ମନ୍ତ୍ରୀଙ୍କ ଅନୁଯାୟୀ, ଗତ ୧୫ ଦିନ ମଧ୍ୟରେ ରାଜ୍ୟର ୨୪ଟି ଜିଲ୍ଲାର ୧୫୪ଟି ବ୍ଲକ, ୮୭୯ଟି ପଞ୍ଚାୟତ ଓ ୨,୮୫୫ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ୧୭ଟି ସହରାଞ୍ଚଳର ୨୦୯ଟି ୱାର୍ଡ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ମୋଟ ୧୩ ଲକ୍ଷ ୭୧ ହଜାର ୩୩୮ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ୩୬୬ଟି ଗାଁରୁ ପର୍ଯ୍ୟାୟକ୍ରମେ ୭ ଲକ୍ଷ ୨୨ ହଜାର ୭୩୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ବନ୍ୟାରେ ୭୯ ହଜାର ୮୨୪ ହେକ୍ଟର ଚାଷଜମି ଓ ୫,୦୪୪ଟି ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତଙ୍କ ପାଇଁ ୭୮୩ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଥିବା ବେଳେ ୭ ଲକ୍ଷ ୨୬ ହଜାର ୪୪୧ ଜଣ ଲାଭାର୍ଥୀ ଏହାରୁ ସହାୟତା ପାଇଛନ୍ତି। ୩୧ଟି ସ୍ଥାନରେ ପଶୁସମ୍ପଦକୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
୧୩୬ କୋଟି ଟଙ୍କାର ସହାୟତା
ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକୁ ପୂର୍ବରୁ ୧୧୦ କୋଟି ଟଙ୍କା ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ୨୬ କୋଟି ଟଙ୍କାର ଅତିରିକ୍ତ ସହାୟତା ଯୋଗାଇ ଦିଆଯାଇଛି। ଏଥିରେ ଭଦ୍ରକ, ଯାଜପୁର, କେନ୍ଦୁଝର ଓ ବାଲେଶ୍ୱରକୁ ୫ କୋଟି ଲେଖାଏଁ, କଟକ ଓ ମୟୂରଭଞ୍ଜକୁ ୨ କୋଟି ଲେଖାଏଁ ଦିଆଯାଇଛି।
ଅନ୍ୟପଟେ, ବନ୍ୟା ପରେ ରାଜ୍ୟର କିଛି ଜିଲ୍ଲାରୁ ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ମିଳିଥିବା ବେଳେ ଆଉ କିଛି ଜିଲ୍ଲାରୁ ଆଂଶିକ ରିପୋର୍ଟ ଆସିଛି। ସମସ୍ତ ତଥ୍ୟ ମିଳିବା ପରେ ସହାୟତାର ପରିମାଣ ଓ ପ୍ୟାକେଜ୍କୁ ଚୂଡ଼ାନ୍ତ ରୂପ ଦିଆଯିବ।



