ଶଙ୍ଖ ଭବନରେ ବିଜେଡିର ୮୦ତମ ସ୍ୱାଧୀନତା ଦିବସ ପାଳନ
ଭୁବନେଶ୍ୱର: ଶଙ୍ଖ ଭବନ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶାତ୍ମବୋଧର ପରିବେଶ ମଧ୍ୟରେ ପାଳିତ ହୋଇଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଅବସରରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।
ସ୍ୱାଧୀନତା ସଂଗ୍ରାମରେ ଦେଶ ପାଇଁ ଜୀବନ ବଳିଦାନ କରିଥିବା ମହାନ ସଂଗ୍ରାମୀମାନଙ୍କୁ ଏହି ଅବସରରେ ସ୍ମରଣ କରାଯାଇଥିଲା। ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅତୁଳନୀୟ ତ୍ୟାଗ, ସଂଘର୍ଷ ଓ ବଳିଦାନ ପ୍ରତି ଶ୍ରଦ୍ଧା ଜଣାଯାଇଥିଲା।
ନବୀନ ପଟ୍ଟନାୟକ ଦେଶର ଏକତା, ଅଖଣ୍ଡତା ଓ ସମୃଦ୍ଧିକୁ ସୁଦୃଢ଼ ରଖିବା ଦିଗରେ ସମସ୍ତେ ଏକଜୁଟ ହୋଇ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। ଦେଶାତ୍ମବୋଧକ ସ୍ଲୋଗାନରେ ଶଙ୍ଖ ଭବନ ପରିସର ପ୍ରକମ୍ପିତ ହୋଇଥିଲା।
କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା, ବିଧାୟକ, ଦଳୀୟ ପଦାଧିକାରୀ, ଜନପ୍ରତିନିଧି, ଯୁବ, ଛାତ୍ର ଓ ମହିଳା ନେତୃତ୍ୱ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ଆଦର୍ଶକୁ ଆଗେଇ ନେବା ପାଇଁ ଉପସ୍ଥିତ ନେତା ଓ କର୍ମୀମାନେ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।



