ବନ୍ଦେ ମାତରମ୍ ବିବାଦ: ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ—ଅମିତ ଶାହ
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ମୁଖ୍ୟାଳୟରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ରାଜନୈତିକ ରୂପ ନେଇଛି। ଏହି ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ ସୋନିଆ ଗାନ୍ଧୀଙ୍କୁ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବାକୁ କହିଛନ୍ତି।
ରବିବାର ଚିତ୍ତୋଡ଼ଗଡ଼ରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶାହ କହିଛନ୍ତି ଯେ, ‘ବନ୍ଦେ ମାତରମ୍’ ଭଳି ଦେଶଭକ୍ତିର ପ୍ରତୀକ ଗୀତକୁ ନେଇ ଏପରି ଘଟଣା ଗ୍ରହଣୀୟ ନୁହେଁ। ସେ ସୋନିଆ ଗାନ୍ଧୀଙ୍କୁ ଦେଶବାସୀ ଏବଂ ଏହି ଗୀତର ରଚୟିତା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ନିକଟରେ କ୍ଷମା ମାଗିବାକୁ ଆହ୍ୱାନ ଦେଇଛନ୍ତି।
ଶାହ ଅଭିଯୋଗ କରିଛନ୍ତି ଯେ, ଭୋଟ୍-ବ୍ୟାଙ୍କ ରାଜନୀତି ଯୋଗୁଁ କଂଗ୍ରେସ ‘ବନ୍ଦେ ମାତରମ୍’ର ଗୌରବକୁ ଅପମାନିତ କରିଛି।
ଏହି ପ୍ରସଙ୍ଗରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ବଂଶଧର ତଥା ନୈହାଟିର ବିଜେପି ବିଧାୟକ ସୁମିତ୍ର ଚାଟାର୍ଜୀ ମଧ୍ୟ ଆପତ୍ତି ଉଠାଇଛନ୍ତି। ସେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଘଟଣା ପାଇଁ ବିନା ସର୍ତ୍ତରେ କ୍ଷମା ମାଗିବାକୁ ଦାବି କରିଛନ୍ତି।
ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବିବାଦ ତୀବ୍ର ହୋଇଛି। ଭିଡିଓରେ ସୋନିଆ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ‘ବନ୍ଦେ ମାତରମ୍’ ବନ୍ଦ କରିବାକୁ ଇଶାରା କରୁଥିବା ବିଜେପି ଦାବି କରିଛି।
ତେବେ କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଦଳର କହିବା ଅନୁଯାୟୀ, ଗୀତ ବନ୍ଦ କରିବାର କୌଣସି ଉଦ୍ଦେଶ୍ୟ ନଥିଲା। ଦୀର୍ଘ ସମୟ ଧରି ଠିଆ ହୋଇଥିବାରୁ ଖଡଗେଙ୍କ ପାଇଁ ଚୌକି ଆଣିବାକୁ ଇଶାରା କରାଯାଇଥିଲା।
କଂଗ୍ରେସର ଏହି ସ୍ପଷ୍ଟୀକରଣକୁ ବିଜେପି ଗ୍ରହଣ କରିନଥିବାରୁ ‘ବନ୍ଦେ ମାତରମ୍’ ବିବାଦ ଏବେ ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ତୀବ୍ର ବାକ୍ଯୁଦ୍ଧର କାରଣ ହୋଇଛି।



