ଦ୍ୱିତୀୟ ସତ୍ୟବ୍ରତ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ
କଟକ, ୨୩/୮: ବାରବାଟୀ ୟୁନାଇଟେଡ୍ କ୍ଲବ ପକ୍ଷରୁ ସ୍ୱର୍ଗତ ସତ୍ୟବ୍ରତ ବେହେରାଙ୍କ ସ୍ମୃତିରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ସତ୍ୟବ୍ରତ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ବାରବାଟୀ ଷ୍ଟାଡିୟମସ୍ଥିତ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଚିବ ପୀତବାସ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟୁର୍ଣ୍ଣାମେଣ୍ଟର ସୁପରିଚାଳନା ନେଇ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।
ଗତବର୍ଷ ପରି ଚଳିତବର୍ଷ ଅଗଷ୍ଟ ୨୯ ଓ ୩୦ ତାରିଖରେ ଦୁଇଦିନ ଧରି ବାଲିଯାତ୍ରା ପଡ଼ିଆରେ ଫ୍ଲଡ୍ଲାଇଟ୍ ଆଲୋକରେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟରେ ସ୍ପୋର୍ଟସ ଓଡ଼ିଶା, ଚାନ୍ଦ କ୍ଲବ, ରାଇଜିଂ ଷ୍ଟୁଡେଣ୍ଟ କ୍ଲବ, ବିଡାନାସୀ କ୍ଲବ, ମଙ୍ଗଳା କ୍ଲବ, ଗ୍ୟାଲାଣ୍ଟ କ୍ଲବ, ରୋବର୍ସ କ୍ଲବ ଓ କିଶୋର କ୍ଲବ, ଭୁବନେଶ୍ୱର ସମେତ ୮ଟି ଦଳ ଅଂଶଗ୍ରହଣ କରିବାକୁ ସହମତି ପ୍ରକାଶ କରିଛନ୍ତି।
ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ ଦଳକୁ ୨୫ ହଜାର ଟଙ୍କା ଏବଂ ରନର୍ସଅପ୍ ଦଳକୁ ୧୫ ହଜାର ଟଙ୍କା ନଗଦ ପୁରସ୍କାର ସହିତ ଟ୍ରଫି ପ୍ରଦାନ କରାଯିବ। ଏଥିସହ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ବହୁ ସୁନାମଧନ୍ୟ ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଟୁର୍ଣ୍ଣାମେଣ୍ଟରେ ଯୋଗଦେବାକୁ ସ୍ୱୀକୃତି ପ୍ରଦାନ କରିଥିବା କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି।
ଟୁର୍ଣ୍ଣାମେଣ୍ଟକୁ ସଫଳ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ବୈଠକରେ ବିଭିନ୍ନ କମିଟିର ଦାୟିତ୍ୱ ଏବଂ ଆୟୋଜନ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ନେଇ ଆଲୋଚନା କରାଯାଇଥିଲା। ବାରବାଟୀ ୟୁନାଇଟେଡ୍ କ୍ଲବର ସଚିବ ପୀତବାସ ସାହୁ ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ କ୍ରୀଡ଼ାପ୍ରେମୀ ଓ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି।

August 24, 2026/
No Comments


