ଖାଉଟି ଏବେ ସିନ୍ଥେଟିକ୍ ପନିରକୁ ନେଇ ଚିନ୍ତାରେ
଼ତାଳଚେର, ୨୪/୦୮ ବଜାରରେ ଏବେ ସିନ୍ଥେଟିକ୍ ପନିର ଓ ମିଠା ଚାହିଦା ବିକ୍ରି ନେଇ ଚିନ୍ତା ବଢ଼ିଛି । ଅସଲି ପନିର ଭଳି ଦେଖାଯାଉଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟପାଇଁ କେତେ କ୍ଷତିକାରକ ତାହା କିଏବା କହିବ । କିଛି ଅସାଧୁ ବ୍ୟବସାୟୀ ପନିରରେ ମଇଦା, ଆରାରୁଟ୍, ଛେନା ଓ ବିଭିନ୍ନ ରାସାୟନିକ ଦ୍ରବ୍ୟ ମିଶାଇ ବଜାରକୁ ଛାଡ଼ୁଥିବା ଅଭିଯୋଗ ହେଉଛି । ଗତ ବୁଧବାର କଟକ ଲିଙ୍କ ରୋଡ଼ରୁ ୭୦କ୍ୱିଟାଲ ଅପମିଶ୍ରିତ ପନିର ଜବତ ହେବାପରେ ଆହୁରି ମଧ୍ୟ କେତେ ଜାଗାରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଅପମିଶ୍ରିତ ପନିର ଜବତ ହେବାପରେ ଏବେ ଏହାକୁ ନେଇ ସବୁଆଡ଼େ ଚର୍ଚ୍ଚ ଚାଲିଛି । ଏହି ଅପମିଶ୍ରିତ ପନିରକୁ ଖାଇ ରୋଗାଗ୍ରସ୍ତ ହେବା ନିଶ୍ଚିତ । ତେଣୁ କଟକ ଭଳି ତାଳଚେରରେ ମଧ୍ୟ ଏଭଳି ପନିର ବିକ୍ରି ଚାଲିଛି କି ନାହିଁ ତାହା ଯାଂଚ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି । ସୂଚନା ଅନୁଯାୟୀ କ୍ଷୀର ବଦଳରେ ସିନ୍ଥେଟିକ୍ ପନିରରେ ପ୍ରସ୍ତୁତିରେ ପାମ ଅଏଲ, ମଇଦା ଓ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି । ଏହା ଅସଲି ପନିର ଭଳି ନରମ ଓ ଦେଖିବାକୁ ଆକର୍ଷଣୀୟ ହୋଇଥିବାରୁ ସାଧାରଣ ଗ୍ରାହକ ଅସଲି କିମ୍ବା ନକଲି ଫରକ ଜାଣିବାରେ କଷ୍ଟକର । ଏଭଳି ପନିର ବ୍ୟବହାର କରି ବଜାରରେ ବିଭିନ୍ନ ଖାଦ୍ୟପଦାର୍ଥ ପ୍ରସ୍ତୁତ ହେଉଥିବାରୁ ଗ୍ରାହକଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଟକରୁ ପନିର ଆସି ତାଳଚେର ଅଂଚଳର ଫାଷ୍ଟଗେଟ୍, ସାଉଥବଲଣ୍ଡା, ବସଷ୍ଟାଣ୍ଡ, ହାଟତୋଟା, ଶର୍ମାଛକ, ହାଣ୍ଡିଧୂଆଁ ଇତ୍ୟାଦି ସ୍ଥାନ ଗୁଡ଼ିକରେ ବିକ୍ରି ହେଉଛି । ଏହା ଅସଲି କି ନକଲି ଖାଦ୍ୟନିରାପତା ବିଭାଗ ପକ୍ଷରୁ କାହିଁକି ଏଥିପ୍ରତି ଯାଂଚ କରାଯାଉ ନାହିଁ ତାକୁ ନେଇ ଖାଉଟିଙ୍କ ମନରେ ଚିନ୍ତା ବଢ଼ାଇବାରେ ଲାଗିଛି ।

August 25, 2026/
No Comments


