ସୂଚନା ଓ ଲୋକସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ ହେଲେ ସଞ୍ଜୟ ବିଶ୍ୱାଳ
ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ଆଇଏଏସ୍ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସମ୍ପର୍କ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱାଗତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ।
ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେହୁରିଆ, ଯୁଗ୍ମ ଶାସନ ସଚିବ କଲାମୁଦ୍ଦିନ୍, ଅତିରିକ୍ତ ନିର୍ଦ୍ଦେଶକ ସ୍ମିତା କର ଓ ଯୁଗ୍ମ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ପୁଷ୍ପଗୁଚ୍ଛ ଦେଇ ନୂଆ ନିର୍ଦ୍ଦେଶକଙ୍କୁ ସ୍ୱାଗତ କରିଥିଲେ। ଏଥିସହ ପୂର୍ବତନ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ତାଙ୍କ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଯାଇଥିଲା।
ଦାୟିତ୍ୱ ଗ୍ରହଣ ପରେ ନୂଆ ନିର୍ଦ୍ଦେଶକ ଶ୍ରୀ ବିଶ୍ୱାଳ ବିଭାଗର କାର୍ଯ୍ୟକୁ ଆହୁରି ସୁଚାରୁ ଓ ପ୍ରଭାବଶାଳୀ ଭାବେ ଆଗେଇ ନେବା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ କାମନା କରିଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ସଞ୍ଜୟ କୁମାର ବିଶ୍ୱାଳ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟରତ ଥିଲେ। ଓଡ଼ିଶା ରାଜ୍ୟ ପରିବହନ ନିଗମ (OSRTC), କ୍ରୁଟ୍ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରଶାସନିକ ଦାୟିତ୍ୱ ତୁଲାଇ ସେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।
ସୂଚନା ଓ ଲୋକସମ୍ପର୍କ ବିଭାଗ ସରକାରଙ୍କ ନୀତି, ଯୋଜନା ଓ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ନୂଆ ନିର୍ଦ୍ଦେଶକଙ୍କ ଆଗମନକୁ ନେଇ ବିଭାଗୀୟ ମହଲରେ ଆଶା ପ୍ରକାଶ ପାଇଛି।



