ବରିଷ୍ଠ IPS ଅଧିକାରୀ ସେଫିନ ଅହମ୍ମଦଙ୍କ ବିୟୋଗରେ ଓଡ଼ିଶା ପୋଲିସରେ ଶୋକ
ପୋଲିସ ଭବନରେ ଶୋକସଭା, ସ୍ମୃତିଚାରଣ କଲେ DGP ବିନୟତୋଷ ମିଶ୍ର
ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଆଇଜିପି (କ୍ରାଇମବ୍ରାଞ୍ଚ) ସେଫିନ ଅହମ୍ମଦ କେ.ଙ୍କ ଅକାଳ ବିୟୋଗରେ ଓଡ଼ିଶା ପୋଲିସ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ଆଇପିଏସ୍ ସଂଘର ସଦସ୍ୟମାନେ ଗଭୀର ମର୍ମାହତ ହୋଇଛନ୍ତି।
ସ୍ୱର୍ଗତ ସେଫିନ ଅହମ୍ମଦଙ୍କ ସ୍ମୃତିରେ ଭୁବନେଶ୍ୱର ପୋଲିସ ଭବନରେ ଏକ ଶୋକସଭା ଆୟୋଜିତ ହୋଇଥିଲା। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ୱର୍ଗତ ସେଫିନଙ୍କ ସେବା ଓ କାର୍ଯ୍ୟଦକ୍ଷତାକୁ ସ୍ମରଣ କରିଥିଲେ।
ଶୋକସଭାରେ ସେଫିନ ଅହମ୍ମଦଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା। ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଯାଇଥିଲା।
ଶୋକସଭାକୁ ସମ୍ବୋଧିତ କରି DGP ବିନୟତୋଷ ମିଶ୍ର କହିଥିଲେ ଯେ, ସେଫିନ ଅହମ୍ମଦ ଜଣେ ଦକ୍ଷ, କର୍ମଠ ଓ ସମର୍ପିତ ଅଧିକାରୀ ଥିଲେ। ଚାକିରି ଜୀବନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ରହି ସେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ଏବଂ ଓଡ଼ିଶା ପୋଲିସର ମର୍ଯ୍ୟାଦା ବୃଦ୍ଧିରେ ତାଙ୍କର ଅବଦାନ ରହିଥିଲା। ତାଙ୍କ ଅକାଳ ବିୟୋଗ ପୋଲିସ ବିଭାଗ ଓ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି DGP କହିଥିଲେ।
ଆଇପିଏସ୍ ସଂଘର ସମ୍ପାଦକ ତଥା ଅତିରିକ୍ତ DGP ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ୱର୍ଗତ ସେଫିନଙ୍କ ଦୀର୍ଘ ପୋଲିସ ସେବା ଜୀବନ ଉପରେ ଆଲୋକପାତ କରିଥିଲେ।
୧୯୭୬ ମସିହାରେ କେରଳରେ ଜନ୍ମିତ ସେଫିନ ଅହମ୍ମଦ ୨୦୦୩ ବ୍ୟାଚ୍ର IPS ଅଧିକାରୀ ଭାବେ ପୋଲିସ ସେବାରେ ଯୋଗ ଦେଇଥିଲେ। ୨୦୦୫ରେ ସୁନ୍ଦରଗଡ଼ରେ ପ୍ରଶିକ୍ଷଣ ନେବା ପରେ ସେ ଗୁଣୁପୁର SDPO ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଦେବଗଡ଼, ଝାରସୁଗୁଡ଼ା, ଗଜପତି, ଭିଜିଲାନ୍ସ ନିର୍ଦ୍ଦେଶାଳୟ, ବ୍ରହ୍ମପୁର ଓ କଳାହାଣ୍ଡିରେ SP ଭାବେ ଦାୟିତ୍ୱ ତୁଲାଇଥିଲେ।
ନକ୍ସଲ ଦମନ କ୍ଷେତ୍ରରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା। ପ୍ରାୟ ୫ ବର୍ଷ କେରଳରେ ଡେପୁଟେସନରେ ରହି ସେ SP (କମ୍ପ୍ୟୁଟର), AIG ମୁଖ୍ୟାଳୟ, DIG (ଆଡମିନ) ଓ DIG (ଆର୍ମଡ୍ ପୋଲିସ ବାଟାଲିୟନ) ଭଳି ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ। ନକ୍ସଲ ଦମନ କ୍ଷେତ୍ରରେ କେରଳରେ ଭିତ୍ତି ମଜବୁତ କରିବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ ଥିଲା।
୨୦୧୯ରେ ଓଡ଼ିଶାକୁ ଫେରିବା ପରେ ସେ DIG (ମୁଖ୍ୟାଳୟ), DIG (ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ), କୋରାପୁଟ ଏବଂ DIG (ଟେକ୍ନିକାଲ), କଟକ ଭଳି ପଦରେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ IGP (ଟେକ୍ନିକାଲ), IGP (ଫାୟାର ସର୍ଭିସେସ୍ ଓ ହୋମଗାର୍ଡସ୍) ଏବଂ IGP (HRPC), ଓଡ଼ିଶା ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ୧୦ ଜୁଲାଇ ୨୦୨୩ରୁ ସେ IGP (କ୍ରାଇମବ୍ରାଞ୍ଚ) ଭାବେ କାର୍ଯ୍ୟରତ ଥିଲେ।
ଶୋକସଭାରେ ରାଜ୍ୟ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ ସ୍ୱର୍ଗତ ସେଫିନ ଅହମ୍ମଦଙ୍କ ସ୍ମୃତିଚାରଣ କରିଥିଲେ। ଅତିରିକ୍ତ DGP ସୌମେନ୍ଦ୍ର ପ୍ରିୟଦର୍ଶୀ ଶୋକସଭା ପରିଚାଳନା କରିଥିଲେ।
ଜଣେ ଦକ୍ଷ ଓ ସମର୍ପିତ ପୋଲିସ ଅଧିକାରୀଙ୍କ ଅକାଳ ବିୟୋଗ ଓଡ଼ିଶା ପୋଲିସ ପାଇଁ ଏକ ବଡ଼ କ୍ଷତି ହୋଇଥିବା ବେଳେ, ତାଙ୍କର ସେବା ଓ ଅବଦାନ ଚିରସ୍ମରଣୀୟ ହୋଇ ରହିବ।



