ନିବେଶ ଟାଣିବାକୁ ୟୁଏଇ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଦୁବାଇରେ ହେବ ଇନଭେଷ୍ଟର୍ସ ସମିଟ୍, ଶିଳ୍ପପତିଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା
ଭୁବନେଶ୍ୱର: ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶ ବଢ଼ାଇବାକୁ ରାଜ୍ୟ ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ। ନିବେଶକଙ୍କୁ ଓଡ଼ିଶାମୁହାଁ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ୟୁଏଇ ଗସ୍ତ କରିବ।
ସେପ୍ଟେମ୍ବର ୮ ଓ ୯ ତାରିଖରେ ଦୁବାଇରେ ଦୁଇଦିନିଆ ନିବେଶକ ସମ୍ମିଳନୀ ଆୟୋଜିତ ହେବ। ଏହି ଗସ୍ତରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ରାଜ୍ୟର ବରିଷ୍ଠ ଅଧିକାରୀ ଓ ଶିଳ୍ପ ପ୍ରତିନିଧିମାନେ ସାମିଲ ହେବେ।
ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସୂଚନା ଅନୁଯାୟୀ, ୟୁଏଇ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାକୁ ଅଧିକ ବିଦେଶୀ ନିବେଶ ଆଣିବା। ଦୁବାଇରେ ବିଭିନ୍ନ ଶିଳ୍ପପତି, ନିବେଶକ ଓ ବ୍ୟବସାୟିକ ପ୍ରତିନିଧିଙ୍କ ସହ ସରକାର ପକ୍ଷରୁ ସିଧାସଳଖ ୱାନ୍-ଟୁ-ୱାନ୍ ଆଲୋଚନା କରାଯିବ।
ଏହି ଅବସରରେ ଓଡ଼ିଶାରେ ରହିଥିବା ଶିଳ୍ପ ସମ୍ଭାବନା, ଆଧୁନିକ ଭିତ୍ତିଭୂମି, ନିବେଶ ଅନୁକୂଳ ନୀତି ଏବଂ ବିଭିନ୍ନ କ୍ଷେତ୍ରରେ ରହିଥିବା ବ୍ୟବସାୟିକ ସୁଯୋଗ ସମ୍ପର୍କରେ ବିଦେଶୀ ନିବେଶକଙ୍କୁ ଅବଗତ କରାଯିବ।
ଏହି କ୍ଷେତ୍ରରେ ନିବେଶ ଉପରେ ଫୋକସ୍
ରାଜ୍ୟ ସରକାରଙ୍କ ପକ୍ଷରୁ ଧାତୁ ଓ ଡାଉନ୍ଷ୍ଟ୍ରିମ୍ ଶିଳ୍ପ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ଇଲେକ୍ଟ୍ରୋନିକ୍ସ, ବନ୍ଦର ଓ ଲଜିଷ୍ଟିକ୍ସ ଭଳି କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦିଆଯିବ।
ନିବେଶକଙ୍କୁ ଓଡ଼ିଶାର ଶିଳ୍ପ ନୀତି ଓ ନିବେଶ ସୁଯୋଗ ସମ୍ପର୍କରେ ଅବଗତ କରିବା ପାଇଁ ଦୁବାଇରେ ଏକ ସ୍ୱତନ୍ତ୍ର ରୋଡ୍ ଶୋ’ ମଧ୍ୟ ଆୟୋଜନ ହେବ। ଏଥିରେ ରାଜ୍ୟରେ ନିବେଶ ପାଇଁ ଉପଲବ୍ଧ ସୁବିଧା, ସୁଯୋଗ ଓ ସରକାରଙ୍କ ନୀତି ସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥାପନ କରାଯିବ।
ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ହେବ ଆଲୋଚନା
ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ଏହା ମାଧ୍ୟମରେ ପ୍ରବାସୀ ଓଡ଼ିଆଙ୍କ ସହ ରାଜ୍ୟର ବିକାଶ, ନିବେଶ ଓ ଶିଳ୍ପ ସମ୍ଭାବନା ନେଇ ମତବିନିମୟ କରାଯିବ।
ସରକାରଙ୍କ ଏହି ୟୁଏଇ ଗସ୍ତ ମାଧ୍ୟମରେ ଓଡ଼ିଶା ପାଇଁ ନୂଆ ନିବେଶ ଆକର୍ଷିତ କରିବା ସହ ରାଜ୍ୟର ଶିଳ୍ପ କ୍ଷେତ୍ରକୁ ଆନ୍ତର୍ଜାତିକ ସ୍ତରରେ ଆହୁରି ପ୍ରଚାର କରିବା ଲକ୍ଷ୍ୟ ରହିଛି।



