ତାଳଚେରରେ ଧୁମଧାମରେ ଜନ୍ମାଷ୍ଟମୀ ପାଳିତ

ରାଧାକୃଷ୍ଣ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଦେଖିବାକୁ ୩୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ
ତାଳଚେର: ପବିତ୍ର ଜନ୍ମାଷ୍ଟମୀ ଅବସରରେ ତାଳଚେର ବ୍ଲକ ଅନ୍ତର୍ଗତ ସେଣ୍ଟ୍ରାଲ୍ ୱାର୍କସପ୍ ନିକଟସ୍ଥ ରାଧାକୃଷ୍ଣ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ପବିତ୍ର ଉତ୍ସବ ଅବସରରେ ମନ୍ଦିର ପରିସରରେ ଭକ୍ତଙ୍କ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା।
ଜନ୍ମାଷ୍ଟମୀ କାର୍ଯ୍ୟକ୍ରମରେ ଲମ୍ବୋଦର ସାହୁ, ଜିତେନ୍ଦ୍ର କୁମାର ବିଶ୍ୱାଳ ଏବଂ ଜିଏମ୍ ନିରଞ୍ଜନ ମହାଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ଲାଭ କରିଥିଲେ।
ଏହି ଅବସରରେ ମୁଖ୍ୟ ପଣ୍ଡିତ ପୁନଃଚନ୍ଦ୍ର ଶତପଥୀଙ୍କ ସହ ଅନ୍ୟ ପଣ୍ଡିତମାନେ ମନ୍ଦିରରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା, ମନ୍ତ୍ରପାଠ ଓ ଧାର୍ମିକ କାର୍ଯ୍ୟ ସମ୍ପନ୍ନ କରିଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଉତ୍ସବକୁ ସୁଚାରୁ ଭାବେ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଦର୍ଶନ କରିବା ପାଇଁ ପ୍ରାୟ ୩୦ ହଜାର ଭକ୍ତଙ୍କ ସମାଗମ ହୋଇଥିବା ଜଣାପଡ଼ିଛି। ଭକ୍ତମାନେ ଦୀର୍ଘ ସମୟ ଧରି ଧାଡ଼ିରେ ରହି ପ୍ରଭୁଙ୍କ ଦର୍ଶନ କରିଥିଲେ। ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
ଏଠାରେ ପ୍ରତିବର୍ଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ସହ ନନ୍ଦ ଉତ୍ସବ ମଧ୍ୟ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ଜନ୍ମୋତ୍ସବ ପରେ ଭକ୍ତମାନଙ୍କ ପାଇଁ ପ୍ରଭୁଙ୍କ ନିକଟରେ ଅନ୍ନ ପ୍ରସାଦ ଅର୍ପଣ କରାଯାଇଥାଏ। ପ୍ରସାଦ ସେବନ ପାଇଁ ମଧ୍ୟ ପ୍ରାୟ ୧୦ ହଜାର ଭକ୍ତଙ୍କ ସମାଗମ ହୋଇଥିବା ଜଣାପଡ଼ିଛି।
ମନ୍ଦିର ପରିଚାଳନା କମିଟି, ପଣ୍ଡିତମାନେ ଓ ସ୍ୱେଚ୍ଛାସେବୀମାନଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା। ଜନ୍ମାଷ୍ଟମୀ ଅବସରରେ ରାଧାକୃଷ୍ଣ ମନ୍ଦିରରେ ଭକ୍ତି ଓ ଆଧ୍ୟାତ୍ମିକତାର ଅପୂର୍ବ ପରିବେଶ ଦେଖିବାକୁ ମିଳିଥିଲା।
ତାଳଚେରରୁ ସନାତନ କରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।




