ଶିକ୍ଷକଙ୍କ ଆନ୍ଦୋଳନସ୍ଥଳରେ ଦୁଇ ମନ୍ତ୍ରୀ
ଦାବି ଉପରେ ଶୀଘ୍ର ନିଷ୍ପତ୍ତିର ପ୍ରତିଶ୍ରୁତି, ଲିଖିତ ଆଶ୍ୱାସନ ଦାବିରେ ଅଡ଼ିଲେ ଶିକ୍ଷକ
ଭୁବନେଶ୍ୱର: ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଥିବା ଶିକ୍ଷକମାନଙ୍କ ସହ ଶନିବାର ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆନ୍ଦୋଳନସ୍ଥଳରେ ପହଞ୍ଚି ଦୁଇ ମନ୍ତ୍ରୀ ଶିକ୍ଷକମାନଙ୍କ ଦାବି ଶୁଣିବା ସହ ସରକାର ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନେବ ବୋଲି ଆଶ୍ୱାସନ ଦେଇଛନ୍ତି।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସରକାରଙ୍କ ନିକଟରେ ପହଞ୍ଚିଥିବା କମିଟିର ରିପୋର୍ଟକୁ ପ୍ରଥମେ ଯାଞ୍ଚ ଓ ଆଇନଗତ ଭାବେ ବିଶ୍ଳେଷଣ କରିବା ଆବଶ୍ୟକ। ଏହା ପରେ ହିଁ ସରକାର ଉପଯୁକ୍ତ ନିଷ୍ପତ୍ତି ନେବେ। ତେଣୁ ସରକାରଙ୍କ ଉପରେ ଭରସା ରଖି ଆନ୍ଦୋଳନ ପ୍ରତ୍ୟାହାର କରି ଘରକୁ ଫେରିବାକୁ ସେ ଶିକ୍ଷକମାନଙ୍କୁ ଅନୁରୋଧ କରିଛନ୍ତି।
ଅନ୍ୟପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଆନ୍ଦୋଳନସ୍ଥଳକୁ ଯାଇ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ଶିକ୍ଷକଙ୍କ ସମସ୍ୟାର ସମାଧାନ ଶୀଘ୍ର କରାଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି। ସରକାର କମିଟିର ରିପୋର୍ଟ ପାଇସାରିଛନ୍ତି ଏବଂ ଏହା ଉପରେ ସରକାରୀସ୍ତରରେ ପଦକ୍ଷେପ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସରକାରଙ୍କୁ ମୋଟ ୭୯ଟି ରିପୋର୍ଟ, ପ୍ରାୟ ୮୦୦ ପୃଷ୍ଠା ବିଶିଷ୍ଟ ଦସ୍ତାବିଜ ମିଳିଛି। ଏଗୁଡ଼ିକର ଯାଞ୍ଚ ପରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ। ଆଲୋଚନା ପାଇଁ ଶିକ୍ଷକମାନଙ୍କୁ ପ୍ରତିନିଧିମଣ୍ଡଳ ପଠାଇବାକୁ ମଧ୍ୟ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ତେବେ ମନ୍ତ୍ରୀମାନଙ୍କ ଆଶ୍ୱାସନ ସତ୍ତ୍ୱେ ଆନ୍ଦୋଳନକାରୀ ଶିକ୍ଷକମାନେ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ରାଜି ହୋଇନାହାନ୍ତି। ଲିଖିତ ଆଶ୍ୱାସନ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି।
ଶିକ୍ଷକ ନିଯୁକ୍ତି, ସୁରକ୍ଷା, ଦରମାରେ ଅସଙ୍ଗତି, ପେନ୍ସନ୍ ସୁବିଧା, ଚାକିରି ସୁରକ୍ଷା ଓ ସେବା ସର୍ତ୍ତ ସମେତ ବିଭିନ୍ନ ଦାବି ନେଇ ବିଭିନ୍ନ ସଂଗଠନର ଶିକ୍ଷକ ଓ ଆଶାୟୀମାନେ ଦୀର୍ଘଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି। ଏବେ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ଆନ୍ଦୋଳନକାରୀଙ୍କ ନଜର ରହିଛି।



