ଅଙ୍କଡିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ପାଳିତ
ଜମନକିରା: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ମହଦା ଗ୍ରାମପଞ୍ଚାୟତ ଅଧୀନ ଅଙ୍କଡିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସକାଳ ୮ଟା ସମୟରେ ପବିତ୍ର ଗୁରୁ ଦିବସ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କନ୍ଦର୍ପ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ଶ୍ରୀ ସନ୍ତୋଷ ନାଏକ ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ସୁରୁମଣି ସୁନାନୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ଶୁଶିଳା ମୁଣ୍ଡା, ସୁମିତ୍ରା ମୁଣ୍ଡା ଓ ସଦସ୍ୟ ସନ୍ତୋଷ ମୁଣ୍ଡା, ଭୀମ ମୁଣ୍ଡା, ଅନୁମୁଣ୍ଡାଙ୍କ ସହ ବହୁ ଅଭିଭାବକ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ।
କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟ ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ବୁଝାଇ ଦିଆଯାଇଥିଲା। ଏଥିସହ ମହାନ ଶିକ୍ଷାବିତ୍ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଓ ଶିକ୍ଷା ପ୍ରତି ତାଙ୍କ ଅବଦାନ ଉପରେ ଆଲୋଚନା କରାଯାଇଥିଲା। ଏହା ସହିତ ଭାରତରେ ନାରୀ ଶିକ୍ଷାର ଅଗ୍ରଦୂତ ଭାବେ ପରିଚିତ ମହାତ୍ମା ଜ୍ୟୋତିରାଓ ଫୁଲେ ଓ ସାବିତ୍ରୀବାଇ ଫୁଲେ ଦମ୍ପତିଙ୍କ ଜୀବନୀ ଏବଂ ସମାଜ ସଂସ୍କାର କ୍ଷେତ୍ରରେ ସେମାନଙ୍କ ଅବଦାନ ବିଷୟରେ ମଧ୍ୟ ଶିଶୁମାନଙ୍କୁ ଅବଗତ କରାଯାଇଥିଲା।
ଶିକ୍ଷା ଓ ସଂସ୍କାର ମାଧ୍ୟମରେ ଏକ ସୁସ୍ଥ ଓ ସଚେତନ ସମାଜ ଗଠନ କରିବାରେ ଗୁରୁଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପରେ ସଭା ସମାପ୍ତ ହୋଇଥିଲା।
ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ୍।



