ମହିଳା ସଶକ୍ତିକରଣର ଓଡ଼ିଶା ମଡେଲ୍ ବଖାଣିଲେ ବାଚସ୍ପତି
ଦିଲ୍ଲୀର ସର୍ବଭାରତୀୟ କାପାସିଟି ବିଲ୍ଡିଂ ସମ୍ମିଳନୀରେ ଯୋଗଦେଲେ ଓଡ଼ିଶାର ବିଧାୟିକାମାନେ
ନୂଆଦିଲ୍ଲୀ/ଭୁବନେଶ୍ୱର: ମହିଳା ସଶକ୍ତିକରଣ ଓ ନେତୃତ୍ୱ ବିକାଶକୁ ନେଇ ନୂଆଦିଲ୍ଲୀରେ ଆୟୋଜିତ ସର୍ବଭାରତୀୟ କାପାସିଟି ବିଲ୍ଡିଂ ସମ୍ମିଳନୀରେ ଓଡ଼ିଶାର ଭୂମିକା ଉପସ୍ଥାପନ କରିଛନ୍ତି ବିଧାନସଭା ବାଚସ୍ପତି ସୁରମା ପାଢ଼ୀ। ସୋମବାର ଆରମ୍ଭ ହୋଇଥିବା ଦୁଇଦିନିଆ ସମ୍ମିଳନୀରେ ଯୋଗଦେଇ ବାଚସ୍ପତି ମହିଳାଙ୍କ ପାଇଁ ରାଜ୍ୟରେ ଚାଲିଥିବା ବିଭିନ୍ନ ସଶକ୍ତିକରଣ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଛନ୍ତି।
ବାଚସ୍ପତି କହିଥିଲେ, ବଜେଟ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ଆଇନ ପ୍ରଣୟନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଉଛି। ତୃଣମୂଳ ସ୍ତରରେ ମହିଳାଙ୍କ ରାଜନୈତିକ ଓ ସାମାଜିକ ଅଂଶଗ୍ରହଣ ବୃଦ୍ଧି ପାଇଁ ପଞ୍ଚାୟତ ସ୍ତରରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି।
୭୦ ଲକ୍ଷ ମହିଳାଙ୍କୁ ମିଳୁଛି ମିଶନ ଶକ୍ତିର ଲାଭ
ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ପ୍ରାୟ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଉପକୃତ ହେଉଥିବା ବାଚସ୍ପତି କହିଥିଲେ। ମହିଳା ଏସ୍ଏଚ୍ଜିଗୁଡ଼ିକୁ ବିଭିନ୍ନ କ୍ଷେତ୍ରରେ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ପାଇଁ ସରକାର ବିଭିନ୍ନ ସହାୟତା ଯୋଗାଇ ଦେଉଛନ୍ତି।
ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ସହ କିଶୋରୀମାନଙ୍କ ପୋଷଣ ସ୍ତର ବୃଦ୍ଧି ପାଇଁ ମଧ୍ୟ ବିଭିନ୍ନ ଯୋଜନା ଚାଲୁଥିବା ସେ ସୂଚନା ଦେଇଥିଲେ।
ଛାତ୍ରୀଙ୍କ ଆତ୍ମସୁରକ୍ଷା ଉପରେ ଗୁରୁତ୍ୱ
ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ମହିଳାଙ୍କ ସୁରକ୍ଷା ଓ ଆତ୍ମନିର୍ଭରତାକୁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟର ୭୩୦ଟି ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ମହାବିଦ୍ୟାଳୟ ଏବଂ ୧୬ଟି ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଥିବା ବାଚସ୍ପତି କହିଥିଲେ।
ପ୍ରଥମ ଥର ଏକାଠି ହେଲେ ଦେଶର ମହିଳା ବିଧାୟିକା
ସେପ୍ଟେମ୍ବର ୭ ଓ ୮ ଦୁଇଦିନ ଧରି ଦିଲ୍ଲୀରେ ଚାଲିଥିବା ଏହି ସମ୍ମିଳନୀର ଉଦ୍ଘାଟନ ଲୋକସଭା ବାଚସ୍ପତି ଓମ୍ ବିର୍ଲା କରିଥିବାବେଳେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହାତକର ସ୍ୱାଗତ ଅଭିଭାଷଣ ଦେଇଥିଲେ।
ମହିଳାଙ୍କୁ ତାଲିମ ଓ ଦକ୍ଷତା ବିକାଶ ମାଧ୍ୟମରେ ନେତୃତ୍ୱ ପାଇଁ ପ୍ରସ୍ତୁତ କରିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ। ବିଶେଷକରି ‘ଜେଣ୍ଡର ରେସ୍ପନ୍ସିଭ୍ ଗଭର୍ଣ୍ଣାନ୍ସ’ ତାଲିମ ମାଧ୍ୟମରେ ବିଧାୟିକାମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି।
ଉଲ୍ଲେଖନୀୟ ଯେ, ପ୍ରଥମ ଥର ପାଇଁ ଦେଶର ସମସ୍ତ ରାଜ୍ୟର ମହିଳା ବିଧାୟିକା ଓ ବିଧାନ ପରିଷଦ ସଦସ୍ୟାମାନେ ଏହି ସମ୍ମିଳନୀରେ ଏକାଠି ହୋଇଛନ୍ତି।
ଓଡ଼ିଶାରୁ ବିଧାୟିକାଙ୍କ ପ୍ରତିନିଧିତ୍ୱ
ବାଚସ୍ପତି ସୁରମା ପାଢ଼ୀଙ୍କ ନେତୃତ୍ୱରେ ଓଡ଼ିଶାରୁ ବିଜେଡି ବିଧାୟକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ସମେତ ବିଧାୟିକା ସୁବାସିନୀ ଜେନା, ସୁଜାତା ସାହୁ, ସୀମାରାଣୀ ନାୟକ, ମନୋରମା ମହାନ୍ତି, ସୋଫିଆ ଫିର୍ଦୋସ୍, ଉପାସନା ମହାପାତ୍ର ଓ ବର୍ଷା ସିଂହ ବରିହା ପ୍ରମୁଖ ସମ୍ମିଳନୀରେ ଯୋଗଦେଇଛନ୍ତି।
ଏହାସହ ବିଧାନସଭାର ଗବେଷଣା ଅଧିକାରୀ ଜୟକୃଷ୍ଣ ପ୍ରଧାନ ଓ ରଣଧୀର ରାୟ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଛନ୍ତି।



