ବିଶ୍ୱ ପାରା ଶୁଟିଂରେ ଭାରତର ଦମଦାର ପ୍ରଦର୍ଶନ, ମୋନାଙ୍କୁ ରୌପ୍ୟ ଓ ଆଭାନୀଙ୍କୁ କାଂସ୍ୟ
ବିଶ୍ୱ ପାରା ଶୁଟିଂ ମଞ୍ଚରେ ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ। ମହିଳା ୧୦ ମିଟର ଏୟାର ରାଇଫଲ୍ ଏସ୍ଏଚ୍-୧ ଇଭେଣ୍ଟରେ ଦେଶ ପାଇଁ ଦୁଇଟି ପଦକ ହାସଲ କରିଛନ୍ତି ମୋନା ଅଗ୍ରୱାଲ ଓ ଆଭାନୀ ଲେଖାରା। ମୋନା ରୌପ୍ୟ ପଦକ ଜିତିଥିବା ବେଳେ ଆଭାନୀଙ୍କୁ ମିଳିଛି କାଂସ୍ୟ।
ଫାଇନାଲ୍ରେ ମୋନା ଅଗ୍ରୱାଲ ୨୫୦.୦ ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ଆଭାନୀ ଲେଖାରା ୨୨୯.୪ ପଏଣ୍ଟ ସହ ତୃତୀୟ ସ୍ଥାନ ଦଖଲ କରି କାଂସ୍ୟ ପଦକ ନିଜ ନାମରେ କରିଛନ୍ତି।
ସର୍ବିଆର କ୍ରିଷ୍ଟିନା ତ୍ରିଫୁନୋଭିକ୍ ୨୫୦.୨ ପଏଣ୍ଟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫଳରେ ମାତ୍ର ୦.୨ ପଏଣ୍ଟର ବ୍ୟବଧାନରେ ମୋନାଙ୍କୁ ସ୍ୱର୍ଣ୍ଣରୁ ବଞ୍ଚିତ ହେବାକୁ ପଡ଼ିଛି।
ଏହି ସଫଳତା ମୋନା ଅଗ୍ରୱାଲଙ୍କ କ୍ୟାରିୟରର ପ୍ରଥମ ବିଶ୍ୱ ଚାମ୍ପିଅନଶିପ୍ ପଦକ। ଗତବର୍ଷ ସମାନ ସ୍ଥାନରେ ଆୟୋଜିତ ବିଶ୍ୱକପ୍ରେ ସେ ରୌପ୍ୟ ପଦକ ଜିତିଥିଲେ। ସେହିପରି ଆଭାନୀ ଲେଖାରାଙ୍କ ପାଇଁ ମଧ୍ୟ ଏହା ପ୍ରଥମ ବିଶ୍ୱ ଚାମ୍ପିଅନଶିପ୍ ପଦକ।
ଦୁଇ ଭାରତୀୟ ଶୁଟରଙ୍କ ଏହି ସଫଳତା ପାରା କ୍ରୀଡ଼ାରେ ଦେଶର ବଢ଼ୁଥିବା ଶକ୍ତିକୁ ପୁଣିଥରେ ପ୍ରମାଣିତ କରିଛି।



