ବିହାରରେ ନିର୍ମାଣାଧୀନ ପୋଲରେ ବଡ଼ ଅଘଟଣ, ଲଞ୍ଚର ଖସି ୭ ଶ୍ରମିକ ଆହତ
ପାଟଣା: ବିହାରର ବୈଶାଳୀ ଜିଲ୍ଲାରେ ନିର୍ମାଣାଧୀନ ପୋଲ ଉପରେ ଘଟିଛି ବଡ଼ ଦୁର୍ଘଟଣା। ପୋଲ ନିର୍ମାଣ କାମରେ ବ୍ୟବହୃତ ଏକ ଭାରୀ ଲଞ୍ଚର ହଠାତ୍ ଖସିପଡ଼ିବାରୁ ୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ଘଟଣାକୁ ନେଇ ନିର୍ମାଣ କାମର ଗୁଣବତ୍ତା ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।
ଲାଲଗଞ୍ଜ ଥାନା ଅନ୍ତର୍ଗତ ଜଲାଲପୁର ଗାଁର ସତୀସ୍ଥାନ ନିକଟରେ ଏହି ଅଘଟଣ ଘଟିଛି। ପାଟଣାରୁ ବେତିଆକୁ ସଂଯୋଗ କରୁଥିବା ଏନ୍ଏଚ୍-୧୩୯ଡବ୍ଲ୍ୟୁର ୪ ଥାକିଆ ରାସ୍ତା ନିର୍ମାଣ ସମୟରେ ପୋଲ ଉପରେ ଲଞ୍ଚରକୁ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ ଲଞ୍ଚରର ଫ୍ରଣ୍ଟ ସପୋର୍ଟ ହଠାତ୍ ଫେଲ୍ ହୋଇଯିବାରୁ ଏହା ତଳକୁ ଖସିଥିବା ଜଣାପଡ଼ିଛି।
ଦୁର୍ଘଟଣା ପରେ ଜଣେ ଶ୍ରମିକ ଲଞ୍ଚର ତଳେ ଫସି ରହିଥିଲେ। ପ୍ରାୟ ଦୁଇ ଘଣ୍ଟାର ଉଦ୍ୟମ ପରେ ତାଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଆହତ ଶ୍ରମିକମାନଙ୍କୁ ପ୍ରଥମେ ଲାଲଗଞ୍ଜ ରେଫରାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ପଠାଯାଇଛି।
ଘଟଣା ପରେ ନିର୍ମାଣସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ନିର୍ମାଣକାରୀ ସଂସ୍ଥା ବିରୋଧରେ ଗୁରୁତର ଅବହେଳାର ଅଭିଯୋଗ ମଧ୍ୟ ହୋଇଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଆବଶ୍ୟକ ଜରୁରୀକାଳୀନ ସୁରକ୍ଷା ବ୍ୟବସ୍ଥା ନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏକଲବ୍ୟ କନଷ୍ଟ୍ରକ୍ସନ୍ କମ୍ପାନୀ ଏହି ନିର୍ମାଣ କାମ କରୁଥିବା ଜଣାପଡ଼ିଛି।
ତେବେ ଘଟଣାକୁ ନେଇ ଏନ୍ଏଚ୍ଏଆଇ ପକ୍ଷରୁ ଭିନ୍ନ ସ୍ପଷ୍ଟୀକରଣ ଦିଆଯାଇଛି। ଲଞ୍ଚର ସ୍ଥାନାନ୍ତର ସମୟରେ ଏହି ଅଘଟଣ ଘଟିଥିବା ଏବଂ ମୁଖ୍ୟ ପୋଲ ଢାଞ୍ଚାର କୌଣସି କ୍ଷତି ହୋଇନଥିବା ଏନ୍ଏଚ୍ଏଆଇ କହିଛି। ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବା ସହ ନିର୍ମାଣସ୍ଥଳର ସୁରକ୍ଷା ମାନଦଣ୍ଡର ସମୀକ୍ଷା କରାଯାଉଥିବା ମଧ୍ୟ ପ୍ରାଧିକରଣ ପକ୍ଷରୁ କୁହାଯାଇଛି।
ଏହି ଘଟଣା ପରେ ନିର୍ମାଣ କାମରେ ଶ୍ରମିକଙ୍କ ସୁରକ୍ଷା, ନିର୍ମାଣର ମାନ ଓ ଜରୁରୀକାଳୀନ ବ୍ୟବସ୍ଥାକୁ ନେଇ ତଦନ୍ତର ଆବଶ୍ୟକତା ନେଇ ଦାବି ଜୋର ଧରିଛି।



