ଅପରାଧ ସମୀକ୍ଷା ବୈଠକରେ ତ୍ୱରିତ ତଦନ୍ତ ଓ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ
ଡି.ପି.ଓ. ସମ୍ମିଳନୀ କକ୍ଷରେ ଏସ୍ପିଙ୍କ ଅଧ୍ୟକ୍ଷତାରେ ବୈଠକ
ଅନୁଗୋଳ: ଅନୁଗୋଳ ଡି.ପି.ଓ. ସମ୍ମିଳନୀ କକ୍ଷରେ ଏସ୍ପିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ଏସ୍ପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ଜିଲ୍ଲାର ସମସ୍ତ ଥାନାର ଆଇଆଇସି ଓ ଏସ୍ଡିପିଓମାନେ ଯୋଗଦେଇଥିଲେ।
ବୈଠକରେ ଜିଲ୍ଲାର ସାମଗ୍ରିକ ଅପରାଧ ସ୍ଥିତି, ବିଚାରାଧୀନ ମାମଲା, ବିଭିନ୍ନ ମାମଲାର ତଦନ୍ତ ଅଗ୍ରଗତି ଏବଂ ଗୁରୁତ୍ୱପୂର୍ଣ୍ଣ ଅପରାଧିକ ଘଟଣାର ସମୀକ୍ଷା କରାଯାଇଥିଲା। ଏଥିସହ ଅପରାଧର ନୂତନ ଧାରା ଓ ତାହାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।
ଏସ୍ପି ବିଭିନ୍ନ ମାମଲାର ତଦନ୍ତ ଅଗ୍ରଗତି ସହ ତଦାରଖ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ମାମଲାଗୁଡ଼ିକର ତ୍ୱରିତ ଓ ସମୟୋଚିତ ତଦନ୍ତ, ଗୁଣାତ୍ମକ ତଦନ୍ତ ଏବଂ ଫଳପ୍ରଦ ତଦାରଖ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ବିଚାରାଧୀନ ମାମଲାଗୁଡ଼ିକର ଶୀଘ୍ର ସମାଧାନ ସହ ଅପରାଧ ନିୟନ୍ତ୍ରଣ ଦିଗରେ ଅଧିକ ସକ୍ରିୟ ଓ ସମନ୍ୱିତ ପଦକ୍ଷେପ ନେବାକୁ ଏସ୍ପି ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଇନଶୃଙ୍ଖଳା ବଜାୟ ରଖିବା, ଅପରାଧୀଙ୍କ ଉପରେ ନଜରଦାରି ବଢ଼ାଇବା ଏବଂ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ସମସ୍ତ ୟୁନିଟ୍ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।



