୫ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଅବକାରୀ ଅଧୀକ୍ଷକଙ୍କୁ ଧରିଲା ଭିଜିଲାନ୍ସ
ରାଉରକେଲା ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିଲା ଟଙ୍କା କାରବାର; ବ୍ୟାଗ୍ରୁ ଟଙ୍କା ଜବତ, ତଦନ୍ତ ଜାରି
ରାଉରକେଲା: ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାଉରକେଲା ଅବକାରୀ କାର୍ଯ୍ୟାଳୟର ଅଧୀକ୍ଷକ ଧନେଶ୍ୱର ବରାଳ। ଜଣେ ଦୋକାନୀଙ୍କଠାରୁ ୫ ଲକ୍ଷ ଟଙ୍କା ନେଉଥିବା ସମୟରେ ରାଉରକେଲା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ରାଉରକେଲା ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଦୋକାନୀଙ୍କଠାରୁ ଧନେଶ୍ୱର ବରାଳ ଟଙ୍କା ଗ୍ରହଣ କରୁଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ କରାଯାଇଥିବା ଜଣାପଡ଼ିଛି।
ଘଟଣା ପରେ ଭିଜିଲାନ୍ସ ଅଧିକାରୀମାନେ ରାଉରକେଲା ଅବକାରୀ କାର୍ଯ୍ୟାଳୟରେ ଅଧୀକ୍ଷକଙ୍କୁ ରଖି ପଚରାଉଚରା ଓ ତଦନ୍ତ ଜାରି ରଖିଛନ୍ତି। ଲାଞ୍ଚ କାରବାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯାଉଛି।
ଅନ୍ୟପକ୍ଷରେ, ଅଧୀକ୍ଷକଙ୍କୁ ଭିଜିଲାନ୍ସ ଧରିବା ପରେ ଅବକାରୀ କାର୍ଯ୍ୟାଳୟର କିଛି କର୍ମଚାରୀ ସେଠାରୁ ଚାଲିଯାଇଥିବା ଦେଖାଯାଇଥିବା ସୂଚନା ମିଳିଛି। ଫଳରେ କାର୍ଯ୍ୟାଳୟରେ ଅସ୍ୱାଭାବିକ ପରିସ୍ଥିତି ଦେଖାଦେଇଥିବା ବେଳେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।



