ଆଜିଠୁ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ: ଏକାଠି ହେବେ ବିଶ୍ୱର ପ୍ରମୁଖ ନେତା
ନୂଆଦିଲ୍ଲୀ, ୧୨/୦୯: ବିଶ୍ୱ କୂଟନୀତି ଦୃଷ୍ଟିରୁ ଆଜି ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆଜିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ଏହି ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶୀର୍ଷ ନେତାମାନେ ଏକାଠି ହୋଇ ବିଶ୍ୱ ରାଜନୀତି, ଅର୍ଥନୀତି ଓ ରଣନୈତିକ ସହଯୋଗ ନେଇ ଆଲୋଚନା କରିବେ।
ସମ୍ମିଳନୀକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୋଟିଏ ଦିନ ପୂର୍ବରୁ ନୂଆଦିଲ୍ଲୀରେ ପହଞ୍ଚିସାରିଛନ୍ତି। ଅନ୍ୟପକ୍ଷରେ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ଅପରାହ୍ନରେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀର ପାଲମ ବାୟୁସେନା ଷ୍ଟେସନରେ ପହଞ୍ଚିବେ ବୋଲି ଜଣାପଡ଼ିଛି।
ସି ଜିନପିଙ୍ଗଙ୍କ ଭାରତ ଗସ୍ତକୁ ଏଥରର ବ୍ରିକ୍ସ ସମ୍ମିଳନୀର ଏକ ପ୍ରମୁଖ ଆକର୍ଷଣ ଭାବେ ଦେଖାଯାଉଛି। ୨୦୧୯ ପରେ ତାଙ୍କର ଏହା ପ୍ରଥମ ଭାରତ ଗସ୍ତ। ତେଣୁ ଭାରତ-ଚୀନ୍ ସମ୍ପର୍କରେ ଏହି ଗସ୍ତର ବିଶେଷ ଗୁରୁତ୍ୱ ରହିଛି।
ମୋଦି-ସି ଜିନପିଙ୍ଗ ଆଲୋଚନା ଉପରେ ନଜର
ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବାକୁ ଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷକରି ଦୁଇ ଦେଶ ମଧ୍ୟରେ ରହିଥିବା ବିଭିନ୍ନ ମତଭେଦ ଓ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ନେବା ନେଇ ଆଲୋଚନା ହୋଇପାରେ।
ବୈଠକ ପୂର୍ବରୁ ବେଜିଂ ପକ୍ଷରୁ ମଧ୍ୟ ଭାରତ-ଚୀନ୍ ସମ୍ପର୍କ ନେଇ ସକାରାତ୍ମକ ବାର୍ତ୍ତା ଦିଆଯାଇଛି। ଚୀନ୍ର ମତ ଅନୁଯାୟୀ, ଦୁଇ ଦେଶ ମତଭେଦକୁ ଉଚିତ ଭାବରେ ସମାଧାନ କରି ରଣନୈତିକ ଓ ଦୀର୍ଘକାଳୀନ ଦୃଷ୍ଟିକୋଣରୁ ସମ୍ପର୍କକୁ ଆଗକୁ ବଢ଼ାଇବା ଆବଶ୍ୟକ।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି ଯେ ଲଗାତାର ତୃତୀୟ ବର୍ଷ ମୋଦି ଓ ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ୍କାର ହେବ। ପୂର୍ବରୁ କାଜାନ ଓ ତିଆନଜିନରେ ଦୁଇ ନେତାଙ୍କ ସାକ୍ଷାତ ହୋଇଥିଲା।
ମାଓ ନିଙ୍ଗଙ୍କ କହିବାନୁସାରେ, ଚୀନ୍ ଦୁଇ ଦେଶର ନେତାଙ୍କ ରଣନୈତିକ ଦିଗ୍ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା, ଆଲୋଚନା ବଢ଼ାଇବା, ପାରସ୍ପରିକ ସହଯୋଗକୁ ମଜବୁତ କରିବା ଏବଂ ମତଭେଦକୁ ସଠିକ୍ ଭାବରେ ସମାଧାନ କରିବା ଲାଗି ଭାରତ ସହ କାମ କରିବାକୁ ଚାହୁଁଛି।
ଦୁଇ ଦିନିଆ ଏହି ଶିଖର ସମ୍ମିଳନୀରେ ବିଶ୍ୱର ବଦଳୁଥିବା ଭୂ-ରାଜନୈତିକ ପରିସ୍ଥିତି, ବହୁପକ୍ଷୀୟ ସହଯୋଗ ଓ ବିକାଶ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ନେତାମାନେ ମତବିନିମୟ କରିବେ।



