ସେମିକନ୍ ଇଣ୍ଡିଆ ୨୦୨୬ ଉଦ୍ଘାଟିତ, ସେମିକଣ୍ଡକ୍ଟର କ୍ଷେତ୍ର ପାଇଁ ୧୩.୫ ବିଲିୟନ ଡଲାରର ଦ୍ୱିତୀୟ ପର୍ଯ୍ୟାୟ
ନୂଆଦିଲ୍ଲୀ, ୧୭/୯: ଭାରତର ସେମିକଣ୍ଡକ୍ଟର କ୍ଷେତ୍ରରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ନୂଆଦିଲ୍ଲୀର ଯଶୋଭୂମିଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସେମିକନ୍ ଇଣ୍ଡିଆ ୨୦୨୬’ର ପଞ୍ଚମ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି। ‘ସିଲିକନ୍ ଟୁ ସିଷ୍ଟମ୍ସ: ବିଲ୍ଡିଂ ଦ ଇକୋସିଷ୍ଟମ୍’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମ୍ମିଳନୀ ସେପ୍ଟେମ୍ବର ୧୭ରୁ ୧୯ ପର୍ଯ୍ୟନ୍ତ ଚାଲିବ।
ଉଦ୍ଘାଟନୀ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ବିଦେଶରୁ ଆସିଥିବା ଅତିଥି, ଶିଳ୍ପପତି, ଗବେଷକ, ଷ୍ଟାର୍ଟଅପ୍ ଓ ଯୁବପିଢ଼ିଙ୍କୁ ସ୍ୱାଗତ ଜଣାଇଥିଲେ। ବିଶ୍ୱକର୍ମା ଜୟନ୍ତୀ ଦିନ ସେମିକନ୍ ଇଣ୍ଡିଆର ଆରମ୍ଭ ହେବାକୁ ଭାରତର ପାରମ୍ପରିକ ସୃଜନଶୀଳତା ଓ ୨୧ତମ ଶତାବ୍ଦୀର ପ୍ରଯୁକ୍ତିର ସମନ୍ୱୟ ବୋଲି ସେ ଉଲ୍ଲେଖ କରିଥିଲେ।
ଭାରତର ସେମିକଣ୍ଡକ୍ଟର ଯାତ୍ରା ସମ୍ପର୍କରେ ମୋଦୀ କହିଥିଲେ ଯେ ଚିପ୍ ଡିଜାଇନ୍, ଉତ୍ପାଦନ, ଉପକରଣ, ସାମଗ୍ରୀ ଓ ପରୀକ୍ଷଣ କ୍ଷେତ୍ରରେ ଏକାସାଙ୍ଗରେ କାମ ହୋଇଛି। ଏହାର ପରିଣାମସ୍ୱରୂପ ଭାରତୀୟ କାରଖାନାରୁ ବାହାରୁଥିବା ଚିପ୍ ଦେଶ ଓ ବିଶ୍ୱର ଗ୍ରାହକଙ୍କ ନିକଟରେ ପହଞ୍ଚିବା ଆରମ୍ଭ କରିଛି ବୋଲି ସେ କହିଥିଲେ।
ସେମିକଣ୍ଡକ୍ଟର ମିଶନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୩.୫ ବିଲିୟନ ଡଲାରର ବ୍ୟବସ୍ଥା କରାଯାଇଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଅନ୍ତର୍ଜାତୀୟ କମ୍ପାନୀ, ଭାରତୀୟ ଷ୍ଟାର୍ଟଅପ୍ ଓ ଡିଜାଇନ୍ କମ୍ପାନୀଗୁଡ଼ିକ ମଧ୍ୟରେ ସହଯୋଗକୁ ସହଜ କରିବା ପାଇଁ ନୂଆ ନିୟାମକ ସଂସ୍କାର କରାଯାଇଥିବା ସେ କହିଥିଲେ।
ସରକାରଙ୍କ ସେମିକନ୍ ୨.୦ କାର୍ଯ୍ୟକ୍ରମକୁ ଜୁଲାଇ ୨୦୨୬ରେ ଅନୁମୋଦନ ମିଳିଥିଲା। ଏହାର ମୋଟ ଆର୍ଥିକ ବ୍ୟୟ ୧,୨୭,୫୦୦ କୋଟି ଟଙ୍କା ରହିଛି। ଚିପ୍ ଡିଜାଇନ୍, ମେସିନ୍ ଓ ସାମଗ୍ରୀ, ନୂଆ ଫ୍ୟାବ୍, ଉନ୍ନତ ପ୍ୟାକେଜିଂ, ଗବେଷଣା ଏବଂ ପ୍ରତିଭା ବିକାଶ ଏହାର ପ୍ରମୁଖ କ୍ଷେତ୍ର।
ଏହି ଅବସରରେ ଦେଶରେ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଆହୁରି ସୁଦୃଢ଼ କରିବା, ଘରୋଇ ଯୋଗାଣ ଶୃଙ୍ଖଳା ବିକଶିତ କରିବା ଓ ଗବେଷଣା-ବିକାଶକୁ ବଢ଼ାଇବା ଉପରେ ମୋଦୀ ଗୁରୁତ୍ୱ ଦେଇଥିଲେ। ଏଆଇ, ଡାଟା ସେଣ୍ଟର ଓ ହାଇ-ପରଫର୍ମାନ୍ସ କମ୍ପ୍ୟୁଟିଂର ବିସ୍ତାର ସହ ସେମିକଣ୍ଡକ୍ଟର ଚାହିଦା ବଢ଼ୁଥିବାରୁ ଏହି କ୍ଷେତ୍ରରେ ଶକ୍ତି ଓ ଯୋଗାଣ ଭିତ୍ତିଭୂମିର ଗୁରୁତ୍ୱ ମଧ୍ୟ ସେ ଉଲ୍ଲେଖ କରିଥିଲେ।
ଭାରତର ବିଶାଳ ଇଞ୍ଜିନିୟରିଂ ପ୍ରତିଭାକୁ ସେମିକଣ୍ଡକ୍ଟର ଶିଳ୍ପ ସହ ଯୋଡ଼ିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଯୁବ ଗବେଷକମାନେ ଉନ୍ନତ ପ୍ରଯୁକ୍ତି ବିକାଶରେ ଅଧିକ ଭାଗ ନେବା ସହ ଶିଳ୍ପ ନେତୃତ୍ୱ ଦେଶରେ ଗବେଷଣା ଓ ବିକାଶକୁ ଆଗେଇ ନେବାକୁ ସେ ଆହ୍ୱାନ ଜଣାଇଥିଲେ।
ସେମିକନ୍ ଇଣ୍ଡିଆ ୨୦୨୬ରେ ବିଶ୍ୱ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମର ବିଭିନ୍ନ ଅଂଶୀଦାର, ଶିଳ୍ପ ବିଶେଷଜ୍ଞ, ନୀତି ନିର୍ମାତା, ଷ୍ଟାର୍ଟଅପ୍, ଶିକ୍ଷାବିତ୍ ଓ ନିବେଶକମାନେ ଯୋଗ ଦେଉଛନ୍ତି। ତିନିଦିନିଆ ଏହି ଆୟୋଜନରେ ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ନେଇ ବିଭିନ୍ନ ଆଲୋଚନା, ପ୍ରଦର୍ଶନୀ ଓ ସହଯୋଗର ସୁଯୋଗ ରହିଛି।



