ରାଜ୍ୟର ୩୦ ଜିଲ୍ଲାରେ ପ୍ରଜ୍ଜ୍ୱଳିତ ହେଲା ୧ କୋଟିରୁ ଅଧିକ ‘ଆଶୀର୍ବାଦର ଦୀପ’
ଭୁବନେଶ୍ୱର, ୧୭/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଓଡ଼ିଶାର ୩୦ଟି ଜିଲ୍ଲାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟବ୍ୟାପୀ ୧ କୋଟିରୁ ଅଧିକ ଦୀପ ପ୍ରଜ୍ଜ୍ୱଳିତ କରାଯାଇଥିବା ଜଣାପଡ଼ିଛି।
ଭୁବନେଶ୍ୱରର ଐତିହାସିକ ମୁକ୍ତେଶ୍ୱର ମନ୍ଦିର ପରିସରରେ ମଧ୍ୟ ସାମୂହିକ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ହୋଇଥିଲା। ଏଠାରେ ହଜାର ହଜାର ମହିଳା ଏକାଠି ହୋଇ ୧୧ ହଜାରରୁ ଅଧିକ ଦୀପ ଜାଳିଥିଲେ। ଭଜନ ଓ ସଙ୍ଗୀତ ପରିବେଷଣ ସହ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଏକାମ୍ର ବିଧାୟକ ବାବୁ ସିଂ ଓ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଯୁବବର୍ଗଙ୍କ ସହ ଭାବବିନିମୟ ମଧ୍ୟ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଦୀପ ପ୍ରଜ୍ଜ୍ୱଳନକୁ ଓଡ଼ିଶାବାସୀଙ୍କ ଆଶୀର୍ବାଦର ପ୍ରତୀକ ଭାବେ ବର୍ଣ୍ଣନା କରିଥିଲେ। ଭାରତକୁ ବିଶ୍ୱଗୁରୁ କରିବା ଲକ୍ଷ୍ୟରେ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ପରିବାର ସ୍ତରରୁ ଆରମ୍ଭ କରି ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ହୋଇଥିଲା। ବିଭିନ୍ନ ଦେବାଳୟରେ ଝୋଟି ଚିତା ସହ ସାମୂହିକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।
ଏହି ଅଭିଯାନରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସୁଭଦ୍ରା ଯୋଜନାର ହିତାଧିକାରୀ, ସ୍ଥାନୀୟ ଜନସାଧାରଣ ଓ ଜନପ୍ରତିନିଧିମାନେ ସାମିଲ ହୋଇଥିଲେ। ପ୍ରତ୍ୟେକ ପରିବାର ନିଜ ଘରେ ଗୋଟିଏ ଦୀପ ପ୍ରଜ୍ଜ୍ୱଳନ କରି ରାଜ୍ୟବ୍ୟାପୀ ଅଭିଯାନରେ ଭାଗ ନେଇଥିବା ଆୟୋଜକମାନଙ୍କ ପକ୍ଷରୁ କୁହାଯାଇଛି।
ମୁକ୍ତେଶ୍ୱର ମନ୍ଦିରରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଜିଲ୍ଲାର ଦେବାଳୟ ଓ ସାମୂହିକ ସ୍ଥାନ ପର୍ଯ୍ୟନ୍ତ ଜଳିଥିବା ଦୀପ ମାଧ୍ୟମରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ପାଳନ କରାଯାଇଛି।



