‘ଆଶୀର୍ବାଦର ଦୀପ’ରେ ଝଲସିଲା ମୁକ୍ତେଶ୍ୱର
ମୋଦୀଜୀଙ୍କ ସ୍ୱପ୍ନ ସାକାର ପାଇଁ ଓଡ଼ିଶା ନିରନ୍ତର ପ୍ରୟାସ କରିବ — ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୭/୯: ସନ୍ଧ୍ୟା ନଇଁ ଆସିବା ସହ ଆଲୋକରେ ଝଲସି ଉଠିଥିଲା ଭୁବନେଶ୍ୱରର ଐତିହାସିକ ମୁକ୍ତେଶ୍ୱର ମନ୍ଦିର ପରିସର। ଧାଡ଼ି ଧାଡ଼ି ହୋଇ ଜଳୁଥିବା ହଜାର ହଜାର ଦୀପ, ଘଣ୍ଟ ଓ ଶଙ୍ଖଧ୍ୱନି ସାଙ୍ଗକୁ ଭକ୍ତି ସଙ୍ଗୀତ—ସୃଷ୍ଟି କରିଥିଲା ଏକ ଆଧ୍ୟାତ୍ମିକ ପରିବେଶ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ରାଜ୍ୟ ସରକାରଙ୍କ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ଆୟୋଜିତ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମରେ ମୁକ୍ତେଶ୍ୱର ମନ୍ଦିର ପରିସରରେ ୧୧ ହଜାରରୁ ଅଧିକ ଦୀପ ପ୍ରଜ୍ୱଳିତ କରାଯାଇଥିଲା। ହଜାର ହଜାର ମହିଳା ଓ ଯୁବବର୍ଗ ଏଥିରେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଏକାମ୍ର ବିଧାୟକ ବାବୁ ସିଂ ଓ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ। ମୁଖ୍ୟମନ୍ତ୍ରୀ ଯୁବବର୍ଗ ଓ ମହିଳାମାନଙ୍କ ସହ ଭାବବିନିମୟ ମଧ୍ୟ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଥିଲେ ଯେ, ପବିତ୍ର ଦୀପର ଶିଖା ଓଡ଼ିଶାବାସୀଙ୍କ ଆଶୀର୍ବାଦର ପ୍ରତୀକ। ଭାରତକୁ ବିଶ୍ୱଗୁରୁ କରିବାର ଲକ୍ଷ୍ୟ ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ସାକାର କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମ ସମୟରେ ପ୍ରସିଦ୍ଧ ଓଡ଼ିଆ କଣ୍ଠଶିଳ୍ପୀମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ସନ୍ଧ୍ୟା ଆରତି, ଶଙ୍ଖଧ୍ୱନି ଓ ଦୀପର ଆଲୋକରେ ମୁକ୍ତେଶ୍ୱର ମନ୍ଦିର ପରିସର ଆହୁରି ଆକର୍ଷଣୀୟ ହୋଇଥିଲା।
ଆୟୋଜକମାନଙ୍କ ଅନୁସାରେ, ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ପରିବାର, ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ରାଜ୍ୟବ୍ୟାପୀ ୧ କୋଟିରୁ ଅଧିକ ଦୀପ ପ୍ରଜ୍ୱଳିତ ହୋଇଥିବା ଦାବି କରାଯାଇଛି।
ବିଭିନ୍ନ ଦେବାଳୟରେ ଝୋଟି-ଚିତା ସହ ସାମୂହିକ ଦୀପ ପ୍ରଜ୍ୱଳନ କରାଯାଇଥିବାବେଳେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସୁଭଦ୍ରା ଯୋଜନାର ହିତାଧିକାରୀ, ସ୍ଥାନୀୟ ଜନସାଧାରଣ ଓ ଜନପ୍ରତିନିଧିମାନେ ଅଭିଯାନରେ ସାମିଲ ହୋଇଥିଲେ।



