ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ, ବିଭିନ୍ନ ବିଭାଗରେ ନୂଆ ଦାୟିତ୍ୱ
ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି। ବିଭିନ୍ନ ବିଭାଗରେ ଅଧିକାରୀମାନଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି। ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ, ଶ୍ରମ, ଯୋଜନା ଓ ସମନ୍ୱୟ, ଶିଳ୍ପ, ଗ୍ରାମ୍ୟ ଉନ୍ନୟନ ଓ ଗୃହ ବିଭାଗରେ ଦାୟିତ୍ୱ ପରିବର୍ତ୍ତନ କରାଯାଇଛି।
ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ଭାବେ ସୂର୍ଯ୍ୟନାରାୟଣ ଦାସ, ସୌଦାମିନୀ ସେଠୀ ଓ ଶୁଭ୍ରା ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜଙ୍ଗଲ ଓ ପରିବେଶ ବିଭାଗର ଯୁଗ୍ମ ସଚିବ ଭାବେ ଜ୍ୟୋତିର୍ମୟୀ ପ୍ରଧାନ ଓ ବବିତା ମହାନ୍ତିଙ୍କ ନାମ ରହିଛି।
ସେହିପରି ମଧୁମିତା ନାୟକଙ୍କୁ ଶ୍ରମ ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ଦିଆଯାଇଛି। ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି।
ଅନ୍ୟପକ୍ଷରେ ସଂଘମିତ୍ରା ଶତପଥୀଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଏବଂ ହିମାଂଶୁ ଶେଖର ବେହେରାଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ମିଳିଥିବା ସୂଚନା ରହିଛି।
ଏହି ପରିବର୍ତ୍ତନ ପରେ ସମ୍ପୃକ୍ତ ଅଧିକାରୀମାନେ ନିଜ ନିଜ ନୂଆ ଦାୟିତ୍ୱ ଗ୍ରହଣ କରିବେ। ପ୍ରଶାସନିକ କାର୍ଯ୍ୟରେ ବିଭାଗୀୟ ସମନ୍ୱୟ ଓ କାର୍ଯ୍ୟଦକ୍ଷତାକୁ ନଜରରେ ରଖି ଏହି ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି।



