ଡକାୟତି ପୂର୍ବରୁ ପୋଲିସ ଜାଲରେ ୫ ଜଣ, ମାରଣାସ୍ତ୍ର ଜବତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଡକାୟତି ଯୋଜନାକୁ ପଣ୍ଡ କରିଛି ମୈତ୍ରୀବିହାର ପୋଲିସ। ଡକାୟତି ପାଇଁ ଯୋଜନା କରୁଥିବା ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ରାଜଧାନୀର ୨୦୦ ଫୁଟିଆ ରାସ୍ତା କଡ଼ରେ କିଛି ଯୁବକ ସନ୍ଦେହଜନକ ଭାବେ ଏକାଠି ହୋଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ମୈତ୍ରୀବିହାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା।
ପୋଲିସକୁ ଦେଖି ଅଭିଯୁକ୍ତମାନେ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୋଲିସ ସେମାନଙ୍କୁ କାବୁ କରିଥିଲା। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ କଟୁରୀ, ଲଙ୍କାଗୁଣ୍ଡ, ଲୁହାରଡ଼ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଥିବା ଜଣାପଡ଼ିଛି।
ପ୍ରାଥମିକ ତଦନ୍ତରୁ ସେମାନେ ଡକାୟତି ଉଦ୍ଦେଶ୍ୟରେ ସେଠାରେ ଏକାଠି ହୋଇଥିବା ପୋଲିସ ସନ୍ଦେହ କରୁଛି। ଗିରଫ ୫ ଜଣଙ୍କ ବିରୋଧରେ ମୈତ୍ରୀବିହାର ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।



