ଅମ୍ବାଭୋନା ବ୍ଲକ ସ୍ତରୀୟ ବିଜ୍ଞାନ ନାଟିକା ଓ ଆଲୋଚନା ଚକ୍ର ଅନୁଷ୍ଠିତ :
(ବିଜ୍ଞାନ ନାଟିକାରେ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତା ପ୍ରଥମ)

ବରଗଡ::୨୧/୯(ପବିତ୍ର ମେହେର):ବିଜ୍ଞାନର ପ୍ରଚାର ଓ ପ୍ରସାର କରିବା ନିମନ୍ତେ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ହୀରାଧର ଉନ୍ନୀତ ସରକାରୀ ହାଇସ୍କୁଲ ଭୈନାତୋରାରେ ଅମ୍ବାଭୋନା ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଓ ବିଜ୍ଞାନ ନାଟିକା ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ବିଇଓ ଭାବନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟ ଭୁକ୍ତାର ଅଧ୍ୟାପକ ଅନିଳ କୁମାର ଦେବତା,ସମ୍ମାନିତ ଅତିଥି ଭାବରେ ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ଲିପିକା ସାହୁ ଓ ଜୟନ୍ତ କୁମାର ବାରିକ,ଏବିଇଓ ଲାଲ ମୋହନ ସିଂ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରନ୍ତିଦେବ ନାୟକ, ପ୍ରଧାନ ଶିକ୍ଷକ ପ୍ରଦୋଷ ପ୍ରଧାନ ମଞ୍ଚାସୀନ ଥିଲେ। ଶିକ୍ଷକ ସନ୍ତୋଷ ମାଝୀ ସଭାକାର୍ଯ୍ୟ ସଂଯୋଜନା କରିଥିବାବେଳେ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ବିଜ୍ଞାନ ନାଟିକା ଓ ଆଲୋଚନା ଚକ୍ର ଆୟୋଜନର ଉଦ୍ଦେଶ୍ଯ ବିଷୟରେ ଆଲୋକପାତ କରିଥିଲେ। ଶିକ୍ଷକ ମନୋହର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।”ବିଜ୍ଞାନ ଓ ସମାଜ ” ଶୀର୍ଷକ ବିଜ୍ଞାନ ନାଟିକାରେ ସଞ୍ଜୟ ଖମାରୀ ଓ ରୋଜାଲିନ୍ ଭୋଇଙ୍କ ନିର୍ଦ୍ଦେଶିତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାର ଛାତ୍ରୀଙ୍କ ଦ୍ଵାରା ଅଭିନୀତ ନାଟିକା ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରରେ ପ୍ରଦର୍ଶନ କରିବା ପାଇଁ ମନୋନୀତ ହୋଇଥିଲେ। ଏହି ନାଟିକାର ବିଭିନ୍ନ୍ ଭୂମିକାରେ ଛାତ୍ରୀ ପିଆ ପଟେଲ,ପ୍ରକୃତି ଦୁଆନ,ଶିବାନୀ ନାୟକ, ସୋନାଲି ଭୋଇ,ପାୟଲ ପଟେଲ,ବସୁନ୍ଧରା ସୁନା,ତିକ୍ଷା ସାହୁ ଅଭିନୟ କରିଥିଲେ। ଠିକ୍ ସେହିପରି “ଭାରତୀୟ ଶକ୍ତି ଭଣ୍ଡାର ୨୦୪୭ – ସମ୍ଭାବନା ଓ ଆହ୍ଵାନ” ଶୀର୍ଷକ ବିଜ୍ଞାନ ଆଲୋଚନା ଚକ୍ରରେ କମଳ ସିଂ ଦେଓ ସରକାରୀ ହାଇସ୍କୁଲ ଲଖନପୂରର ଛାତ୍ରୀ ଅର୍ଚିତା ପାଢ଼ୀ,ହୀରାଧର ଉନ୍ନୀତ ସରକାରୀ ହାଇସ୍କୁଲ ଭୈନାତୋରାର ଛାତ୍ରୀ କିରନ ଦେହେରୀ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅମ୍ବାଭୋନାର ଛାତ୍ରୀ ସଞ୍ଜିତା ନାୟକ ଯଥାକ୍ରମେ ପ୍ରଥମ ,ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଉଦଯାପନୀ ଉତ୍ସବରେ ସମସ୍ତ କୃତୀ ପ୍ରତିଯୋଗୀଙ୍କ ସମେତ ଶ୍ରେଷ୍ଠ ଅଭିନେତା ଭାବରେ ଛାତ୍ରୀ ପିଆ ପଟେଲ,ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଛାତ୍ରୀ ଲକ୍ଷ୍ମୀ ମହାନନ୍ଦ, ନିର୍ଦ୍ଦେଶକ ଓ ଲେଖକ ଭାବରେ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଏବଂ ଶିକ୍ଷୟିତ୍ରୀ ରୋଜାଲିନ୍ ଭୋଇ ଅତିଥିମାନଙ୍କଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ।ପରିଚାଳନାରେ ସମସ୍ତ ସି ଆର ସି ସି ଓ ବ୍ଲକର ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଭୈନାତୋରା ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଭୁକ୍ତା ସି ଆର ସିସି କେଦାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।




