ବାହା ହେଲେ ସ୍ଵର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା , ଧରିଲେ ଶୁଭ୍ରାଂଶୁଙ୍କ ହାତ : ଉଦୟପୁର ପ୍ୟାଲେସରେ ହେଲା ବାହାଘର

ଜେ ବି ଏନ, ୧୮/୦୨ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ନେତା ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କ ବିବାହ ବୁଧବାର ମହା ଆଡମ୍ବରରେ ରାଜସ୍ଥାନର ଉଦୟପୁର୍ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ଅନୁଗୁଳ ବାସିନ୍ଦା ତଥା ମୁମ୍ବାଇ ଶିଳ୍ପପତି ଶୁଭ୍ରାଂଶୁ ଶେଖର ବିଶ୍ବାଳଙ୍କ ସହିତ ବୈଦିକ ରୀତିନୀତିରେ ବିବାହ ଆୟୋଜନ କରାଯାଇଥିଲା । ଲୁଲୁଙ୍କ ଭାଇ ତଥା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ମହାପାତ୍ର କନ୍ୟାଦାନ କରିଛନ୍ତି । ସେହିପରି ଶୁଭ୍ରାଶୁଙ୍କ ବାପା ପବିତ୍ର ମୋହନ ବିଶ୍ବାଳଙ୍କ ସମେତ ଅନ୍ୟ ବନ୍ଧୁବାନ୍ଧବ ମଧ୍ୟ ଯୋଗ ଦେଇ ବର ଓ କନ୍ୟାଙ୍କୁ ଆଶୀର୍ବାଦ କରିଛନ୍ତି । ଏହି ବିବାହ ଉତ୍ସବରେ ବଲିଉଡ୍ ଅଭିନେତ୍ରୀ ଦିଶା ପଠାନିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ , ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ , ସାଂସଦ ସଙ୍ଗିତା ସିଂହଦେଓ , ବିଜେଡି ଯୁବନେତା ଅର୍କେଶ ସିଂହଦେଓ , ଚିନ୍ମୟ କୁମାର ସାହୁ , ବିଧାୟକ ବିକ୍ରମ ପଣ୍ଡା , ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି , ଲୁଲୁ ସେନା ସଭାପତି ରାଜେନ୍ଦ୍ର ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଗତକାଲି ରାଜସ୍ଥାନସ୍ଥିତ ଉଦୟପୁରରେ ଥିବା ଅଉରିକା ହୋଟେଲ୍ ଆଣ୍ଡ ରିସର୍ଟ ଉପାସନାଙ୍କ ମଙ୍ଗନ , ମେହେନ୍ଦୀ ଓ ସଙ୍ଗୀତ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି ।



