ଧର୍ମପ୍ରାଣ ବ୍ୟକ୍ତିଙ୍କ ବିୟୋଗ
ଅନୁଗୋଳ/ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମ ତଥା ଜଗନ୍ନାଥ ନଗର ନିବାସୀ ରମାକାନ୍ତ ସାହୁ (ବଡ଼ଭାଇ) ହଠାତ୍ ଆଜି ପୂର୍ବାହ୍ନ ୧୧.୩୦ ମିନିଟ୍ ସମୟରେ ଇହଧାମ ତ୍ୟାଗ କରିଛନ୍ତି। ଶ୍ରୀ ସାହୁ ଜଣେ ପରୋପକାରୀ ଧର୍ମ ପ୍ରାଣ ବ୍ୟକ୍ତି ହିସାବରେ ତାଙ୍କର ସୁନାମ ରହିଥିବା ବେଳେ ବଅଁରପାଳ ପଞ୍ଚଶ୍ରୀକ୍ଷେତ୍ର ମନ୍ଦିର କମିଟିର ଜଣେ ବରିଷ୍ଠ ସଦସ୍ୟ ଥିଲେ। ତାଙ୍କର ଶେଷ ଦର୍ଶନ ପାଇଁ ବଅଁରପାଳ ଅଞ୍ଚଳର ତଥା ମନ୍ଦିର ପରିଚାଳନା କମିଟିର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ତାଙ୍କ ମର ଶରୀର ନିକଟରେ ତାଙ୍କ ଧର୍ମପତ୍ନୀ, ଏକମାତ୍ର ପୁତ୍ର, ପୁତ୍ରବଧୂ, ଝିଅ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ଗୋତମରା ଗ୍ରାମର ଶ୍ମଶାନ ଯାହାକି ତାଙ୍କ ଜନ୍ମ ମାଟିରେ ତାଙ୍କ ଶେଷ କୃତ୍ୟ ସଂପନ୍ନ ହେବ ବୋଲି ତାଙ୍କ ପରିବାର ବର୍ଗ ନିକଟରୁ ପ୍ରକାଶ। ତାଙ୍କ ବିୟୋଗରେ ଜଗନ୍ନାଥ ନଗର ସମେତ ବଅଁରପାଳ ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି।




