ପୁଣି ଶିମିଳିପାଳ ଅଞ୍ଚଳରୁ ଜବତ ହେଲା ୯ ଦେଶୀବନ୍ଧୁକ
ବାରିପଦା:ଶିମିଳିପାଳ ଅଭୟାରଣ୍ୟରୁ ଶିକାରୀ ଓ ଅସ୍ତ୍ରଶସ୍ତ୍ର ମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ ଚାଲିଥିବା ତଲାସୀ ଅଭିଯାନରେ ପୁଣି ୯ଟି ବନ୍ଧୁକ ଜବତ କରାଯାଇଛି । ଶନିବାର ଏନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ବି ଗଙ୍ଗାଧର ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଶୁକ୍ରବାର ତଲାସୀ ଅଭିଯାନର ସ୍ବତନ୍ତ୍ର ଗୁଇନ୍ଦା ପୁଲିସର ସୂଚନା ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଖୁଣ୍ଟା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ନେତୃତ୍ୱରେ ଶିମିଳିପାଳ ପାଦଦେଶର ଗ୍ରାମମାନଙ୍କରେ ଚଢାଉ ହୋଇଥିଲା । ତେବେ ଶିକାର ଉଦ୍ଦେଶ୍ୟରେ ଥିବା ବନ୍ଧୁକ ଜଙ୍ଗଲର ପରିତ୍ୟକ୍ତ ସ୍ଥାନରେ ଲୁଚାଇ ରଖାଯାଇଥିବା ବେଳେ ପୁଲିସ ୯ଟି ଦେଶୀବନ୍ଧୁକ ଜବତ କରିଛି । ସେଥିରୁ ୮ଟି ଦେଶୀବନ୍ଧୁକ ଓ ଗୋଟିଏ ଦେଶୀ ପିସ୍ତଲ ରହିଛି । ଆସନ୍ତାକାଲି ୩୧ତାରିଖ ମଧ୍ୟରେ ଶିମିଳିପାଳ ପାଦଦେଶରେ ଥିବା ୧୨ଟି ଥାନା ଅଞ୍ଚଳର ଗ୍ରାମମାନଙ୍କରେ ବନ୍ଧୁକ ସମର୍ପଣ ପାଇଁ ଶେଷ ସୁଯୋଗ ଦିଆଯାଇଛି । ଏହି ସମୟରେ ବନ୍ଧୁକ ନିକଟସ୍ଥ ଥାନାରେ ଆତ୍ମସମର୍ପଣ କଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ ବୋଲି ପୁଲିସ ପକ୍ଷରୁ ବ୍ୟାପକ ଭାବେ ପ୍ରଚାର କରି କୁହାଯାଇଛି । ଏହି ସମୟରେ କେବଳ ବାରିପଦା ସଦର ଥାନା ଅଧୀନରେ ଜଣେ ବ୍ୟକ୍ତି ବନ୍ଧୁକ ସମର୍ପଣ କରିଛନ୍ତି । ସେହିପରି ତଲାସୀ ଅଭିଯାନର ଆରମ୍ଭ ଜୁନ ୧୮ତାରିଖରୁ ଆଜି ମଧ୍ୟରେ ପୁଲିସ ପକ୍ଷରୁ ୧୦ଟି ମାମଲାରେ ୩୨ଟି ବନ୍ଧୁକ ଜବତ ସାଙ୍ଗକୁ ୨୦ଜଣ ଅଭିଯୁକ୍ତ ଗିରଫ କରାଯାଇଛି । ଅଗଷ୍ଟ ୧ତାରିଖରୁ ଅଭିଯାନକୁ ଜୋରଦାର କରାଯିବା ସହିତ ବନ୍ଧୁକ ସମର୍ପଣ ପାଇଁ ଅଧିକ ସୁଯୋଗ ଦିଆଯିବ ବୋଲି ଏସପି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସହିତ ଉଦଳା ଏସଡିପିଓ ସିଦ୍ଧାର୍ଥ ରାୟ ଓ ଖୁଣ୍ଟା ଆଇଆଇସି ଲୋପାମୁଦ୍ରା ନାୟକ ଉପସ୍ଥିତ ଥିଲେ ।




