ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
ଭୁବନେଶ୍ୱର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁୁୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଭିନ୍ନ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ପରେ ସେଠାରୁ କଡା ସୁରକ୍ଷା ମଧ୍ୟରେ ଏକ ତାରକା ହୋଟେଲକୁ ନିଆଯାଇଛି । ସେଠାରେ ମନ୍ତ୍ରୀ ଶ୍ରୀଶାହା ରାତ୍ରୀଯାପନ କରିବେ । ଆସନ୍ତାକାଲି ଅର୍ଥାତ ଶନିବାର ଶାହା ଭୁବନେଶ୍ୱରରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଡିସିପି ପ୍ରତୀପ ସିଂ ସୂଚନା କହିଛନ୍ତି ।
ସୂଚନା ଅନୁସାରେ, ଆଜି ରାତି ପ୍ରାୟ ୧୨ଟା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱରରେ ପହଞ୍ଚି ସିଧାସଳକ ତାରକା ହୋଟେଲକୁ ଯାଇଥିଲେ । ଆସନ୍ତାକାଲି ଭୁବନେଶ୍ୱରରେ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହାସହ ନକ୍ସଲ୍ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ । ଏଥିପାଇଁ ରାଜଧାନୀକୁ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି ।
ପୋଲିସ କମିଶନରଙ୍କ ତତ୍ତ୍ୱାବଧାନରେ ଶାହାଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିରେ ଜଣେ ଡିସିପି, ୭ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସିପି, ୧୪ଜଣ ଇନ୍ସପେକ୍ଟରଙ୍କ ସମେତ ୩୧ ପ୍ଲାଟୁନ ଫୋର୍ସ, ୩ଟା କ୍ୟୁଆରଟି ଓ ସ୍ପେଶାଲ ଟ୍ରାଟିକାଲ ୟୁନିଟ ନିୟୋଜିତ ହେବେ । ଏଥିସହିତ ଟ୍ରାଫିକ ବ୍ୟବସ୍ଥାରେ ଯେପରି ତ୍ରୁଟି ପରିଲକ୍ଷିତ ନହୁଏ, ସେଥିପାଇଁ ମଧ୍ୟ ବିଶେଷ ଦୃଷ୍ଟି ଦିଆଯିବ ବୋଲି ଡିସିପି କହିଛନ୍ତି ।




