ଗାଁ କୁ ରାସ୍ତା ନାହିଁ, ଦୋଳାରେ ମେଡିକାଲ ଗଲେ ଗର୍ଭବତୀ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ଘାଟ ନିର୍ମାଣ କରୁଛନ୍ତି। ହେଲେ ଏବେ ବି ଅନେକ ସ୍ଥାନରେ ରାସ୍ତା ନ ଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଦୋଳାରେ ବୁହା ହେଉଛନ୍ତି ଗର୍ଭବତୀ। ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଶାଢ଼ିଙ୍ଗିଆ ପଞ୍ଚାୟତରେ । ରାସ୍ତା ଘାଟ ଅଭାବରୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ନ ଥିବାରୁ ଦୋଳାରେ ଗର୍ଭବତୀଙ୍କୁ ନିଆଯାଇଛି। ବୁଧବାର ସକାଳେ ମୁସୁମାସ୍କା ଗ୍ରାମର ବାଳକୃଷ୍ଣ ମଲ୍ଲିକଙ୍କ ସ୍ତ୍ରୀ ଇନାମତିଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ଜନନୀ ଏକ୍ସପ୍ରେସ୍କୁ ଖବର ଦିଆଯାଇ ଥିଲେ ବି ଗାଁ ପର୍ଯ୍ୟନ୍ତ ରାସ୍ତା ନ ଥିବାରୁ ଘର ପାଖରେ ଆମ୍ବୁଲାନ୍ସ ପହଞ୍ଚି ପାରି ନ ଥିଲା। ବାଧ୍ୟ ହୋଇ ପରିବାର ଓ ପଡ଼ୋଶୀ ଲୋକେ ଏକ ଦୋଳାରେ ଇନାମତିଙ୍କୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ପକ୍କା ରାସ୍ତା ପର୍ଯ୍ୟନ୍ତ ବୋହି ଆଣିଥିଲେ। ସେଠାରୁ ଜନନୀ ଏକ୍ସପ୍ରେସ ଯୋଗେ ଫିରିଙ୍ଗିଆ ଡାକ୍ତରଖାନାକୁ ନିଆ ଯାଉଥିଲା। ତେବେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସ ଭିତରେ ହିଁ ଇନାମତି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏବେ ମା’ ଛୁଆ ଉଭୟ ସୁସ୍ଥ ଥିବା ଜଣାପଡିଛି। ଗତ ଲଗାଣ ବର୍ଷାରେ ଏହି ରାସ୍ତା ଧୋଇ ହୋଇଥିବା ସହ ଅନେକ ଦିନ ତଳେ ଗାଁକୁ ମାଟି ରାସ୍ତା ନିର୍ମାଣ ହୋଇଥିବା ଗାଁ ଲୋକେ କହିଛନ୍ତି। ଆଜି ପର୍ଯ୍ୟନ୍ତ ରାସ୍ତା ପୁନଃ ନିର୍ମାଣ ହୋଇ ପାରିନାହିଁ। ଫଳରେ ଗାଁଟି ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ନିର୍ମାଣ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


