ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମାଲକାନଗିରି ମୋର ଅତି ପ୍ରିୟ। ମାଲକାନଗିରି ହିଁ ଓଡିଶା ବିକାଶର ଲଞ୍ଚ ପ୍ୟାଡ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରି ଏହା କହିଛନ୍ତି। ଏହି ଅବସରରେ ଯୋଜନାର ପ୍ରଥମ ବସ୍ରେ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍ କିଣି ମାଲକାନଗିରିରୁ ଏମ୍.ଭି- ୦୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାତ୍ରା କରି ସେଠାରେ BQSର ଶୁଭାରମ୍ଭ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଏହି ଲକ୍ଷ୍ମୀ ଯୋଜନାର ସଂପର୍କ ମାଲକାନଗିରି ସହ ରହିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମାଲକାନଗିରି ଗସ୍ତରୁ ସେ ଲୋକଙ୍କ ଅସୁବିଧା ବିଷୟରେ ଜାଣିପାରିଥିଲେ। ତା ପରେ ଏହି ଲକ୍ଷ୍ମୀ ଯୋଜନାର ପରିପକଳ୍ପନା କରାଗଲା ବୋଲି ସେ କହିଥିଲେ।
ଏହି ଯୋଜନା ଆମର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଆମର ଅର୍ଥନୀତିକୁ ଆହୁରି ମଜବୁତ କରିବ ଏବଂ ଗାଁ ଗାଁରେ ସମୃଦ୍ଧି ଆଣିବ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ସାରା ରାଜ୍ୟରେ ଏକ ହଜାରରୁ ଅଧିକ ବସ୍ ଚାଲିବ। ମାଲକାନଗିରିରେ ଆଜି ୩୬ଟି ବସ୍ ଚାଲିଲା। ମାଲକାନଗିରିର ୧୧୧ଟି ପଞ୍ଚାୟତକୁ ବସ୍ ସୁବିଧା ମିଳିଲା। ଏସବୁ ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ ହେଲା ବୋଲି ସେ କହିଥିଲେ।
ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସହ ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳରେ ଲକ୍ଷ୍ମୀ ଯୋଜନାରେ ବସ ଚାଲିବ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ




