ଭୂବନେଶ୍ୱର: ଓଡ଼ିଶା ସରକାର ୫୦ ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଇଲଟ୍ ଟ୍ରେନିଂ ଦେବେ। ଖାସକରି ଅଧିକ ମହିଳାଙ୍କୁ କମର୍ସିଆଲ ପାଇଲଟ୍ ବନାଇବାକୁ ପ୍ରସ୍ତୁତିମୂଳକ ପାଇଲଟ୍ ତାଲିମ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।
ସୂଚନା ଅନୁଯାୟୀ, ବାଣିଜ୍ୟ ଏବଂ ପରିବହନ ବିଭାଗ ସମ୍ପ୍ରତି ତାଲିମ ପ୍ରଦାନ କରିବା ପାଇଁ ଏକ ପ୍ରଫେସନାଲ୍ ଏଜେନ୍ସିଙ୍କୁ ନିଯୁକ୍ତି ଦେବା ପାଇଁ ଟେଣ୍ଡର ଜାରି କରିଛି।
ଟେଣ୍ଡର ଡକ୍ୟୁମେଣ୍ଟ ଅନୁଯାୟୀ, ସରକାର ମନୋନୀତ ଘରୋଇ ସଂସ୍ଥା ମାଧ୍ୟମରେ ଅତି କମରେ ୩୦୦ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯିବ। ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ ପ୍ରସ୍ତୁତିମୂଳକ ତାଲିମ ପ୍ରଦାନ କରିବା ପାଇଁ ସର୍ଟ ଲିଷ୍ଟ କରାଯିବ।ଭୁବନେଶ୍ୱରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆଦିବାସୀ ସମ୍ପ୍ରଦାୟର ଉକ୍ତ ସର୍ଟ ଲିଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାରମ୍ଭିକ ସ୍କ୍ରିନିଂ ଏବଂ ପ୍ରସ୍ତୁତିମୂଳକ ତାଲିମ ପାଇଁ ୮ ସପ୍ତାହ ଲାଗି ଏକ ଏଜେନ୍ସି ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ବିଭାଗ।



