ଅଗ୍ନିରୂପାଙ୍କ ଆଗମନରେ ହିଙ୍ଗୁଳା ପୀଠ ଚଳଚଂଚଳ ଲୋକାରଣ୍ୟ ହିଙ୍ଗୁଳା ପୀଠ, ତିନି ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ, ନଅ ଦିନ ଧରି ଚାଲିବ ସୁପ୍ରସିଦ୍ଧ ବାର୍ଷିକ ଯାତ୍ରା

ତାଳଚେର, ୧୧-୧୨/୦୪ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୨୧ତମ ଲୋକ ମହୋତ୍ସବ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଆଜିଠାରୁ ଆରମ୍ଭ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ବା ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ମାଆଙ୍କ ଏହି ଅନନ୍ୟ ଯାତ୍ରା ଆରମ୍ଭ ହୋଇ ନଅ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଆଜି ଯାତ୍ରାର ପ୍ରଥମ ଦିନରେ ତିନି ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗ ଦେଇ ମା ହିଙ୍ଗୁଳାଙ୍କୁ ପୂଜାର୍ଚ୍ଚନା କରିଥିଲେ । ଚଳିତ ବର୍ଷ ଅଗ୍ନିରୂପା ମା ହିଙ୍ଗୁଳା ମନ୍ଦିରର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ ଗୋପାଳପ୍ରସାଦ ହାଇସ୍କୁଲ ପାଚେରୀ ନିକଟରେ ତଥା ଗଜରାଜ ଖେଳପଡିଆରେ ଆର୍ବିଭାବ ହୋଇଛନ୍ତି । ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନ ଲାଭ କରିବା ସହ ତାଙ୍କ ଆଶିଷ ଲାଭ କରିବା ପାଇଁ ଉଭାସ୍ଥଳୀକୁ ଆଜି ବଡି ଭୋରରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ବହୁ ଶ୍ରଦ୍ଧାଳୁ ନିଜର କୁନିକୁନି ଛୁଆମାନଙ୍କର ପ୍ରଥମ ଚୁଟି ମୁଣ୍ଡନ କାର୍ଯ୍ୟକ୍ରମ ଆଜିର ଦିନରେ କରିଥାନ୍ତି । ତେଣୁ ବହୁ ଶ୍ରଦ୍ଧାଳୁ ଶାଳବଣିଆ ଛକଠାରୁ ଗୋପାଳପ୍ରସାଦ ସିଙ୍ଗଡା ବ୍ରିଜ ପର୍ଯ୍ୟନ୍ତ ରାସ୍ତାକଡର ବିଭିନ୍ନ ସ୍ଥାନରେ ଶିଶୁମାନଙ୍କର ଚୁଟି ମୁଣ୍ଡନ କରାଯାଉଥିବାର ଦେଖାଯାଇଥିଲା । ଆଜି ପ୍ରତ୍ୟୁଷରୁ ମା’ହିଙ୍ଗୁଳାଙ୍କ ମଙ୍ଗଳ ଆଳତୀ, ବାଳ ଭୋଗ ଆଦି ନୀତି ପାରମ୍ଫରିକ ରୀତିନୀତି ଅନୁଯାୟୀ ସଂପନ୍ନ କରାଯାଇଥିଲା । ଅପରାହ୍ନରେ ମା’ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ ଦିଅଁ ଘରୁ(ମୁଖ୍ୟ ଦେହୁରୀଙ୍କ ବାସଗୃହରୁ) ବଡ ମଣ୍ଡପ(ହିଙ୍ଗୁଳା ମନ୍ଦିର)କୁ ଅଣାଯାଇଥିଲା । ସେଠାରେ ମା ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ମୁଖ୍ୟ ପୂଜକ କିଶୋର ଦେହୁରୀ ଓ ଟଙ୍କଧର ଦେହୁରୀ ଶାବରୀ ମନ୍ତ୍ରରେ ପୂଜା କରିଥିଲେ । ଏହାପରେ ମାଆଙ୍କ ଚଳନ୍ତି ପ୍ରତିମା ଆଲମକୁ ଉଭାସ୍ଥଳୀକୁ ଶୋଭାଯାତ୍ରାରେ ନେଇ ପୂଜାର୍ଚ୍ଚନା କରାଯାଇଥିଲା । ଗତକାଲି ଅପରାହ୍ନରେ କାଳବୈଶାଖୀ ହୋଇଥିବାରୁ ସନ୍ଧ୍ୟାରେ ଅଳ୍ପ ସମୟ ପାଇଁ ବର୍ଷା ହୋଇଥିଲା । ତାର ପ୍ରଭାବରେ ଆଜି ରୌଦ୍ର ତାପ ସାମାନ୍ୟ କମ ଥିବାରୁ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଉଭୟ ଉଭାସ୍ଥଳୀ ଏବଂ ହିଙ୍ଗୁଳା ପୀଠରେ ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ପ୍ରଚଣ୍ଡ ରୌଦ୍ରତାପରୁ ଭକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ ଉଭାସ୍ଥଳୀ ଓ ମନ୍ଦିର ଚତୁଃପାଶ୍ୱର୍କୁ କପଡା ଦ୍ୱାରା ସିଲିଂ କରାଯାଇଥିବା ବେଳେ ଭକ୍ତମାନଙ୍କ ପାଇଁ ବିଶ୍ରାମ ଗୃହ ମଧ୍ୟ ନିର୍ମାଣ କରାଯାଇଥିଲା । ମା ହିଙ୍ଗୁଳାଙ୍କ ଉଭାସ୍ଥଳୀରେ ଏମ୍ସିଏଲ୍ ଜଗନ୍ନାଥ କ୍ଷେତ୍ର ଆନୁକୂଲ୍ୟରେ ଏକ ବିଶାଳ ବିଶ୍ରାମାଗାର ନିର୍ମାଣ କରାଯାଇଛି । ଟ୍ରଷ୍ଟ ବୋର୍ଡ ପକ୍ଷରୁ ଉଭାସ୍ଥଳୀ ଓ ମନ୍ଦିରରେ ସ୍ୱତନ୍ତ୍ର ବ୍ୟାରିକେଡ଼ ନିର୍ମାଣ କରାଯାଇଥିବାରୁ ପୁରୁଷ ଓ ମହିଳା ଭକ୍ତମାନେ ଧାଡିରେ ଛିଡା ହୋଇ ମାଙ୍କୁ ସୁରୁଖୁରୁରେ ଦର୍ଶନ କରିଥିଲେ । ଏହି ଅବସରରେ ଶ୍ରଦ୍ଧାଳୁମାନେ ମାଆ ଅଗ୍ନିରୂପାଙ୍କୁ ନଡ଼ିଆ, କଦଳୀ, ଗୁଡ଼,ଘିଅ,ଝୋଟ,ସିନ୍ଦୁର, ଚୁଡ଼ି,ଛିଟ,ପୁଷ୍ପ ଆଦି ଭୋଗ ଅର୍ପଣ କରିଥିଲେ । ଯାତ୍ରାରେ ପଲିଥିନ୍ ବ୍ୟବହାର ନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲେ ମଧ୍ୟ ପଲିଥିନରେ ଭୋଗ ବିକ୍ରୀ ହେବା ସହିତ ପ୍ଲାଷ୍ଟିକ ନିର୍ମିତ ଗ୍ଲାସ,କପ ଆଦିର ବହୁଳ ବ୍ୟବହାର କରାଯାଇଥିଲା । ଭିଡ଼କୁ ନିୟନ୍ତ୍ରଣ ତଥା ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପନ୍ଦର ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଥିଲା । ଅପରପକ୍ଷରେ ଆଂଚଳିକ ଠିକା ମଜଦୁର ସଂଘ,ତାଳଚେର, ମହାନଦୀ କୋଲଫିଲ୍ଡସ୍ ଠିକାଦାର ଶ୍ରମିକ ସଂଘ, ତାଳଚେର ଓ କଣିହାଁ ବ୍ଲକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ସଂଘ, ମହେଶ କୁମାର ଅଗ୍ରୱାଲ, ମା ହିଙ୍ଗୁଳା ଟ୍ରକ ଡ୍ରାଇଭର ମହାସଂଘ, ମା ହିଙ୍ଗୁଳା ଅନ୍ନ ବସ୍ତ୍ର କମିଟି ଆଦି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ଅନ୍ନପ୍ରସାଦ ବିତରଣ କରାଯାଇଥିଲା । ଅନ୍ନପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ତାହା ସହିତ ହିଙ୍ଗୁଳା କୋଇଲାଖଣି କର୍ମଚାରୀ ସଂଗଠନ, ପ୍ରତିଭା ମହିଳା ମଣ୍ଡଳ,ଅନନ୍ୟା ମହିଳା ମଣ୍ଡଳ, ଆସ୍ଥା ମହିଳା ମଣ୍ଡଳ, ଆଶା କିରଣ ମହିଳା ମଣ୍ଡଳ, ହିଙ୍ଗୁଳା ଟ୍ରକ ମାଲିକ ସଂଘ (ପୁରୁଣା), ଗୋପାଳପ୍ରସାଦ ଟ୍ରକ ମାଲିକ ସଂଘ, ଗୋପବନ୍ଧୁ ଜନ କଲ୍ୟାଣ ସମିତି,କମରେଇ ସମେତ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ, ଦହି, ସରବତ, ତରଭୁଜ, ଆଖୁରସ ଆଦି ବଂଟନ କରାଯାଇଥିଲା । ଅଂଶୁଘାତର ମୁକାବିଲା କରିବା ପାଇଁ ଉଭାସ୍ଥଳୀରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଜଳ ଛିଂଚନ କରାଯିବା ସହ ମନ୍ଦିର ପ୍ରଶାସନ ପକ୍ଷରୁ ଅଂଶୁଘାତ ଚିକିତ୍ସା କେନ୍ଦ୍ର, ଆଶୁ ଚିକିତ୍ସା ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଶୀତତାପ ନିୟନ୍ତ୍ରିତ ବିଶ୍ରାମ କକ୍ଷ ଆଦି ଖୋଲା ଯାଇଛି । ଏମ୍ସିଏଲ୍ ଆମ୍ବୁଲାନ୍ସ ଡିଭିଜନ, ଅନନ୍ତ ଆମ୍ବୁଲାନ୍ସ ଡିଭିଜନ, ମା ହିଙ୍ଗୁଳା ଆମ୍ବୁଲାନ୍ସ ଡିଭିଜନ ସମେତ ଗୋଡିବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ର,ସ୍ଥାନୀୟ କଳମଛୁଇଁ ଓ ଗୋପାଳପ୍ରସାଦ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ମା’ଙ୍କ ଉଭାସ୍ଥଳୀରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ଭଜନ ପରିବେଷଣ କରାଯାଇଥିଲା । ଉଭୟ ମନ୍ଦିର,ଉଭାସ୍ଥଳୀ,ସାଂସ୍କୃତିକ ମଂଚ ଆଦି ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୨୪ ଘଣି୍ଟଆ ନିରୀକ୍ଷଣ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନଙ୍କୁ ସୂଚନା ପ୍ରଦାନ କରିବା ପାଇଁ ଉଭୟ ଉଭାସ୍ଥଳ ଓ ମନ୍ଦିର ପରିସରରେ ସୂଚନା କେନ୍ଦ୍ର ଖୋଲା ଯାଇଛି । ଏହି ଯାତ୍ରାର ସିଧା ପ୍ରସାରଣ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଓ ୟୁଟ୍ୟୁବରେ ମଧ୍ୟ କରାଯାଉଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଲୋକ ମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଭାବାନ କଳାକାର ଯୋଗ ଦେଇ ନିଜର ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରିବେ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ଦିର ପରିସରରେ ଥିବା ପଡିଆରେ ଚାରିି ଶହ ଷ୍ଟଲ ନିର୍ମାଣ କରାଯାଇଥିବା ବେଳେ ସେଥିରେ ବିଭିନ୍ନ ପ୍ରକାର ଖାଦ୍ୟ, ଫାଷ୍ଟ ଫୁଡ, ମନୋହରୀ ସାମଗ୍ରୀ, ପଲ୍ଲୀଶ୍ରୀ ମେଳା, ମୀନାବଜାର, ଦୋଳି, ଖେଳନା, ଘରକରଣା ସାମଗ୍ରୀ ତଥା କାଠ ତିଆରି ଘରୋଇ ଉପକରଣ ଆଦି ବିକ୍ରୀ ହେଉଛି । ଭିଡ କମାଇବା ପାଇଁ ବିଭିନ୍ନ ଛକ ରାସ୍ତାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ଦୁର୍ଘଟଣା ଏଡାଇବା ପାଇଁ ୱାନ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ସେହିପରି ଯାତ୍ରୀମାନଙ୍କ ପାଇଁ ମା କରଡେଇ ପୀଠ ନିକଟସ୍ଥ ପଡିଆ ଓ କୁମୁଣ୍ଡା ପଟୁ ଆସୁଥିବା ଗାଡିଗୁଡିକ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ମା ହିଙ୍ଗୁଳାଙ୍କ ଏହି ନବଦିନାତ୍ମକ ଯାତ୍ରାର ଅନ୍ତିମ ଦିବସ ବା ଶୀତୁଳା ଯାତ୍ରା ଚଳିତ ମାସ ୧୯ ତାରିଖ ଦିନ ସମାପନ ହେବ ବୋଲି ପୂର୍ବରୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।



