ନୂଆଦିଲ୍ଲୀ: ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଭେଟିଛନ୍ତି। ତିନି ସେନାମୁଖ୍ୟଙ୍କ ସହ ବୈଠକର ଗୋଟିଏ ଦିନ ପରେ ପୁଣିଥରେ ନୌସେନା ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ତେବେ ପୂର୍ବ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ଏବଂ ତିନି ସେନା ମୁଖ୍ୟ ଯୋଗ ଦେଇଥିଲେ।
ସେନା ମୁଖ୍ୟ ମୋଦିଙ୍କୁ ଭେଟିବା ଆଗକୁ ବଡ଼ ଯୋଜନା କରାଯାଉଥିବା ଭଳି ସଂକେତ ଦେଉଛି। ଆଗକୁ ଭାରତ ନେବ କି ବଡ଼ ଆକ୍ସନ ସେନେଇ ଏବେ ଚର୍ଚ୍ଚା ଚାଲିଛି। ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପ୍ରତିଶୋଧ ଅପେକ୍ଷାରେ ଭାରତ। ଏଥିପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଘନ ଘନ ବୈଠକ ବସୁଛି। ଏପ୍ରିଲ ୨୨ ତାରିଖ ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ୨୩ ତାରିଖରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ ବସିଥିଲା। ଏହାସହ ସର୍ବଦଳୀୟ ବୈଠକରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।ପାକିସ୍ତାନ ବିରୋଧରେ କେନ୍ଦ୍ର ସରକାର ଯେଉଁ ପଦକ୍ଷେପ ନେବ, ତାକୁ ପୂର୍ଣ୍ଣ ସମର୍ଥନ କରାଯିବ ବୋଲି ଏହି ବୈଠକରେ ସବୁ ଦଳର ନେତା କହିଥିଲେ। ଯଦିଓ ଭାରତ ଏଯାଏଁ ପାକିସ୍ତାନ ବିରୋଧରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ନାହିଁ, କିନ୍ତୁ ଅନ୍ୟ ଦିଗରେ ଗୋଟିଏ ପରେ ଗୋଟିଏ କଡା ପଦକ୍ଷେପ ନେବା ଆରମ୍ଭ କରିଛି ଭାରତ। ସିନ୍ଧୁ ଚୁକ୍ତିକୁ ବାତିଲ କରିସାରିଛି ଭାରତ। ସେପଟେ ଆତଙ୍କବାଦୀଙ୍କ ବିରୋଧରେ କଠୋର ଓ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଣିଥରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ।



