ଧଳାଜହର କବଜାରେ ଯୁବପିଢ଼ୀ
ତାଳଚେର, ୦୪/୦୫ ସହରରେ ଧଳାଜହର ବା ବ୍ରାଉନସୁଗାର କବଳରେ ଏବେ ସହରର ଯୁବପିଢ଼ୀ । ଏହାର ପ୍ରଭାବରେ ଯୁବ ଓ ଛାତ୍ରଗୋଷ୍ଠୀ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି । ପୋଲିସର ବାରମ୍ବାର ଚଢ଼ାଉ ସତ୍ୱେ ଏହି ନିଶାରେ ଲାଗି ପାରୁନି ରୋକ୍ । ଏବେ ଧଳା ଜହର ସେବନକାରୀଙ୍କ ପାଇଁ ନିକାଚଂନ ସ୍ଥାନ ବେଶ ସୁହାଉଛି । ସଞ୍ଜ ହେବା ମାତ୍ରେ ମଟର ସାଇକେଲ ଛିଡ଼ା କରି ୨ରୁ ୫ଜଣ ଯୁବକ ମୋବାଇଲ ଫୋନ୍ ଦେଖିବା ଆଳରେ ବ୍ରାଉନସୁଗାର ସେବନ କରୁଛନ୍ତି । ଉପରୋକ୍ତ ସ୍ଥାନକୁ ଛାଡ଼ି ଦେଲେ ଏବେ ନିକାଚଂନ ସ୍ଥାନ ହିଁ ତାଙ୍କୁ ନିଶା ସେବନ କରିବାକୁ ବେଶ ସୁହାଉଛି । ସେହି ସବୁ ସ୍ଥାନ ଗୁଡ଼ିକରେ ଆଡ୍ଡା ଜମାଇ ବ୍ରାଉନସୁଗାର ସେବନ କରୁଥିବା ଅଭିଯୋଗ ହେଉଛି । ସହରରେ ଅନ୍ଧାର ହେବାପରେ ଦଳଦଳ ହୋଇ ଜହର ସେବନ କରୁଥିବା କୁହାଯାଉଛି । ନାବାଳକ ମାନେ ମଧ୍ୟ ଏହି ନିଶାରେ ଆକର୍ଷିତ ହେଉଛନ୍ତି । ୧୫ରୁ ୨୦ବର୍ଷ ବୟସର ଯୁବକଙ୍କ ମଧ୍ୟରେ ଏଭଳି ନିଶା ସେବନର ଉଦାମତା ଦେଖିବାକୁ ମିଳିଛି । ତାଳଚେର ବାଘୁଆବୋଲ, ଏଫସିଆଇ ମୁଣ୍ଡାବଜାର ନିଶାକାରବାର ବୃଦ୍ଧି ପାଉଛି । କମଳମତୀ ଛାତ୍ରଙ୍କୁ ନିଶା ଅଭ୍ୟସ୍ତ କରାଇବାକୁ ଏକ ର୍ୟାକେଟ କାମ କରୁଛି ବୋଲି କୁହାଯାଉଛି । ଅବକାରୀ ବିଭାଗ ଓ ପୋଲିସ୍ ପକ୍ଷରୁ ଚଢ଼ାଉ କରି କିଛି ମାତ୍ରାରେ ଧରା ଯାଇ କାମ ସାରି ଦେଉଥିବା ବେଳେ ନିଶାର ବଡ଼ମାଲିକ ମୁକ୍ତି ପାଇଯାଉଥିବା ଶୁଣାଯାଏ । ଏହି ଧଳା ଜହର ଅଂଚଳକୁ କେମିତି ଆସୁଛି ତାହା ଏକ ବଡ଼ ପ୍ରଶ୍ନବାଚୀ ସଷ୍ଟି କରୁଛି । ଏହାର ସୁଯୋଗରେ କଳାସାମାରାଜ୍ୟ ଏବେ ପୁଣି ମୁଣ୍ଡ ଟେକିଛି । ଅବକାରୀ ବିଭାଗ ଚଢ଼ାଉ କରି ଖୁଚୁରା କାରବାର କରୁଥିବା କିଛି ଅଭିଯୁକ୍ତ ଗିରଫ କରି ବାହା ବାହା ନେଉଛନ୍ତି, ମାତ୍ର ବଡ଼ମୁଣ୍ଡକୁ ଧରାଯାଇ ପାରୁ ନାହିଁ । ବେପାରରେ ସମ୍ପୃକ୍ତ ମୁଖ୍ୟ କାରପଟାଦାର ଧରିଲେ ର୍ୟାକେଟର ପର୍ଦ୍ଦାଫାଶ ହୋଇପାରନ୍ତା । ସହରରେ ମାତିଥିବା ଅଧିକାଂଶ ଯୁବପିଢ଼ୀ ଛିନତାଇ ଗୋଷ୍ଠି । ସେମାନଙ୍କ ମଧ୍ୟରେ ନାବାଳକ ସଂଖ୍ୟା ହ୍ରାସ କରିବାକୁ ଏହି ନିଶା କାରବାର ଉପରେ ଅଂଙ୍କୁଶ ଲଗାଇଲେ ପରିସ୍ଥିତି ସୁଧରାନ୍ତା ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।



