ବଳାତ୍କାର ଓ ହତ୍ୟାକାଣ୍ଡ ଘଟଣା ନେଇ ଓକିଲ ସଂଘ ପକ୍ଷରୁ ସରକାରଙ୍କୁ ଦୃଷ୍ଟି ଆକର୍ଷଣ
ତାଳଚେର, ୨୦/୦୫ ତାଳଚେର ଓକିଲ ସଂଘ ତରଫରୁ ସଂଘ କାର୍ଯ୍ୟାଳୟ ଠାରେ ସଭାପତି ସନ୍ତୋଷ କୁମାର ସାହୁ ଓ ସାଧାରଣ ସଂପାଦକ ମାନସ ରଞ୍ଜନ ବାଇ ଏକ ପ୍ରେସ୍ ଇସ୍ତାହାର ଜରିଆରେ ସୁଭଦ୍ରା ବଳାତ୍କାର ଓ ହତ୍ୟାକାଣ୍ଡ ଘଟଣା ସହ ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ହତ୍ୟାକାରୀକୁ ଧରିବା ପାଇଁ ଏସ୍.ପି. ଅନୁଗୋଳ ଛଅ ଗୋଟି ଟିମକ୍ କରି ବହୁ କଷ୍ଟରେ ଧର୍ଷଣ ଓ ହତ୍ୟାକାଣ୍ଡ ଭିଆଇଥିବା ମୁଖ୍ୟ ଆସାମୀ ବିଶୁ ଗୋଛାୟତକୁ ମହାରାଷ୍ଟ୍ରରୁ ଠାବ କରି ଗତ ତା୧୭/୦୫/୨୦୨୫ ରିଖରେ ବିଶୁ ଏବଂ ତାକୁ ଫେରାର୍ ହେବାରେ ସାହାଯ୍ୟ କରିଥିବା ମାମୁଁ, ବାପା ଓ ତାର ଜେଜେ ବାପାକୁ ଆରେଷ୍ଟ କରି କୋର୍ଟ ଚାଲାଣ କରିଛନ୍ତି । ଯେହେତୁ ସୁଭଦ୍ରା ବଳାତ୍କାର ଏବଂ ହତ୍ୟାକାଣ୍ଡ ହେଉଛି ଏକ ବିରଳତମ ଘଟଣା? ତେଣୁ ମୁଖ୍ୟ ଆସାମୀ ବିଶୁ ଗୋଛାୟତ ଓ ତାର ସହଯୋଗୀକୁ ଫାଶୀ ଦଣ୍ଡରେ ଦଣ୍ଡିତ ଆଦେଶ ହେବା ଉଚିତ୍ ବୋଲି କହିବା ସହିତ ଏଥି ନିମନ୍ତେ ପୋଲିସ୍ ର ନିରପେକ୍ଷ ତଦନ୍ତ ସହିତ କେସ୍ ର ଚାର୍ଜସିଟ୍କୁ ଏକ ମାସ ମଧ୍ୟରେ କୋର୍ଟରେ ଦାଖଲ କରିବାକୁ ପଡିବ ଓ ଉକ୍ତ କେସ୍ ର ବିଚାର ଏକ ଫାଷ୍ଟଟ୍ରେକ୍ କୋର୍ଟରେ କରାଗଲେ ଦୋଷୀ ଶୀଘ୍ର ଦଣ୍ଡ ପାଇବ । ଯେପରି ଘଟଣା ପୁନରାବୃତି ନଘଟେ ସେଥିଯୋଗୁଁ ଦିନ ଏବଂ ସଂଧ୍ୟା ସମୟରେ ପେଟ୍ରୋଲିଂ ବ୍ୟବସ୍ଥାକୁ ବାଧ୍ୟତାମୂଳକ ଏବଂ କଡାକଡି କରିବା ପାଇଁ ଏସ୍.ପି. ଅନୁଗୋଳ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଏହାର ଅବେହଳାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ଉଚିତ୍ । ସେହିପରି ଯେହେତୁ ସୁଭଦ୍ରା ତାଙ୍କ ପରିବାରର ଏକ ରୋଜଗାରକ୍ଷମ ବ୍ୟକ୍ତି ଥିଲେ, ସେଥିଯୋଗୁଁ ଏହାର କ୍ଷତିପୂରଣ ବାବଦକୁ ସରକାର ତାଙ୍କର ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହିତ ଜଣକୁ ସରକାରୀ ଚାକିରୀ ଦେବା ପାଇଁ ଦାବୀ କରିଥିଲେ । ଯଦି ସରକାର ତାଳଚେରର ନିମ୍ନ ଲିଖିତ ସମସ୍ୟା ଗୁଡିକୁ ଖୁବ୍ ଶୀଘ୍ର ସମାଧାନ କରନ୍ତି ତାହାହେଲେ ଏପରି ଘଟଣାର ଆଉ ପୁନରାବୃତି ହେବ ନାହିଁ ବୋଲି ପ୍ରେସ୍ ରିଲିଜ୍ ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଭିନ୍ନ ସମସ୍ୟା ଗୁଡିକ ହେଲା- ଯେହେତୁ ତାଳଚେର ହେଉଛି ଏକ ଶୀଳ୍ପ ବହୁଳ ଅଂଚଳ ଓ ଏଠାରେ ଦେଶର ବିଭିନ୍ନ ରାଜ୍ୟରୁ ଲୋକ ଚାକିରୀ କରି ରହୁଛନ୍ତି । ତାଳଚେର ଷ୍ଟେସନକୁ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଆସିଲେ ଏପରି ଘଟଣା ଘଟିବ ନାହିଁ ବୋଲି ପ୍ରକାଶ କରିଛନ୍ତି । ଯେପର୍ଯ୍ୟନ୍ତ ତାଳଚେର ଷ୍ଟେସନ୍ କୁ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଆସି ନାହିଁ, ସେ ପର୍ଯ୍ୟନ୍ତ ତାଳଚେରରୁ ତାଳଚେର ଓ ତାଳଚେର ରୋଡ୍ ରେଳ ଷ୍ଟେସନ୍ କୁ ଯିବା ପାଇଁ ଟାଉନ୍ ବସ୍ ଚଳାଚଳ ବ୍ୟବସ୍ଥା କରାଯାଉ । ତାଳଚେରରୁ ବିଭିନ୍ନ ରେଳ ଷ୍ଟେସନକୁ ଯିବା ପାଇଁ ରାସ୍ତାଘାଟର ଉନ୍ନତି, ଆଲୋକୀକରଣ ଓ ସିସିଟିଭି ଲଗାଇବା ବ୍ୟବସ୍ଥା କରାଯାଉ । ଅଟୋ ଡ୍ରାଇଭର ର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନସ୍, ଗାଡି ମାଲିକର ପରିଚୟ ପତ୍ର ଓ ଗାଡିର ସମସ୍ତ କାଗଜପତ୍ର ସହିତ ଅଟୋ ଡ୍ରାଇଭରର ପାସପୋର୍ଟ ସାଇଜ୍ ଫଟୋ ସ୍ଥାନୀୟ ଥାନା, ଡିଏସପି ଅଫିସ୍, ଏସ୍.ପି. ଅଫିସ୍ ଓ ଆର.ଟି.ଓ.ଙ୍କ ଅଫିସ୍ ରେ ଦାଖଲ ଦେଇ ଅଟୋ ଗାଡିରେ ଜିପିଆରଏସ୍ ସିଷ୍ଟମ୍ ଲଗାଇବା । ବର୍ତମାନ ସମୟରେ ଅନୁଗୋଳ ଜିଲ୍ଲାରେ ବଢ଼ୁଥିବା ଚୋରା କୋରେକ୍ସ, ବ୍ରାଉନ୍ ସୁଗାର, ଚରସ୍, ମାରାତ୍ମକ ଡ୍ରଗ୍ କାରବାରକୁ ରୋକାଗଲେ ଅନୁଗୋଳ ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପୂର୍ବପରି ରହିପାରିବ ବୋଲି ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।



