ବଅଁରପାଳ,-ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମ ରାଜସ୍ବ ଅଞ୍ଚଳ ଦେଇ ଯାଇଥିବା ରେଙ୍ଗାଲି ଦକ୍ଷିଣ ପାର୍ଶ୍ଵ କେନାଲର ଉଭୟ ପାର୍ଶ୍ଵରେ ନିର୍ମିତ ସର୍ବସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ରାସ୍ତାର ଗୋଟିଏ ପାଖ ରାସ୍ତାକୁ ଓ ହୁଡ଼ାକୁ ଏକ ପ୍ରକଳ୍ପ ନିର୍ମାଣ ନିର୍ମାଣ ପାଇଁ ଠିକାଦାର ମେସିନ ଲଗାଇ ଖୋଳି ଦେଇଥିବା ଦେଖା ଯାଇଛି l ଉକ୍ତ ରାସ୍ତାଟି ବଅଁରପାଳ ଛକରୁ ତାଳଚେର ଆଡେ ଯାଇଥିବା ୧୪୯ ନଂ ଜାତୀୟ ରାଜପଥକୁ ସଂଯୋଗ କରୁ ଥିବା ତଥା ସଳଖ ବାଟ ହୋଇଥିବାରୁ ଗୋତମରା, ଶାଳଗାଡ଼ିଆ, ଭୋଗବେରେଣୀ ତଥା ଆଖପାଖ ଅନ୍ୟାନ୍ୟ ଗ୍ରାମର ଗ୍ରାମବାସୀ ମାନେ ଏହା ଉପରେ ନିର୍ଭର କରିଥାନ୍ତି l ଫଳରେ ରାସ୍ତା ବନ୍ଦ ଯୋଗୁଁ ଗ୍ରାମବାସୀ ନିଜନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସବୁଠାରୁ ବଡ଼ କଥା ହେଲା ସର୍ବସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ଉକ୍ତ ରାସ୍ତାକୁ ଖୋଳିବା ପାଇଁ ଜଳ ସମ୍ପଦ ବିଭାଗ ଠାରୁ ଅନୁମତି ନିଆ ଯାଇନାହିଁ ବୋଲି ନିକଟସ୍ଥ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି l ବିଭଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ର ଅଭାବ ଥିବା ଅଞ୍ଚଳର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି l ସୂଚନା ଅନୁଯାୟୀ ମେଗା ଲିପ୍ଟ ପକ୍ଷରୁ ଉକ୍ତ ପ୍ରକଳ୍ପ ନିର୍ମାଣ ପାଇଁ ଏଲ ଆଣ୍ଡ ଟି କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ଓ ଭଦ୍ରଖ ଅଞ୍ଚଳର ଜଣେ ଠିକାଦାର ଉକ୍ତ କାର୍ଯ୍ୟ କରୁଛନ୍ତି l ପ୍ରକଳ୍ପର ଉଦ୍ଦେଶ୍ୟ ଯେ ସେଠାରେ ଏକ ପାଣି ଟାଙ୍କି ନିର୍ମାଣ ହୋଇ ନିକଟସ୍ଥ କେନାଲରୁ ପାଣି ଉଠାଇ ଗଛିତ ରଖାଯିବ ଓ ସେଠାରୁ ପମ୍ପ ଦ୍ୱାରା ଅଞ୍ଚଳର ବିଭିନ୍ନ ଗ୍ରାମରେ ଥିବା ଜମିକୁ ଚାଷ ପାଇଁ ପାଣି ଯୋଗାଇ ଦିଆଯିବ l ଅବଶ୍ୟ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ l ତେବେ ବର୍ତ୍ତମାନ ଗ୍ରୀଷ୍ମ ଋତୁ ଯୋଗୁଁ କେନାଲର ଜଳସ୍ତର କମ ଅଛି କିନ୍ତୁ ବର୍ଷା ଋତୁରେ ଯେତେବେଳେ ରେଙ୍ଗାଲି ଡ୍ୟାମରୁ ପାଣି ଛଡ଼ାଯିବ ସେତେବେଳେ ଜଳସ୍ତର ନିଶ୍ଚୟ ବଢିବ l କଥା ହେଉଛି ଉକ୍ତ ରାସ୍ତାରେ ଓ କେନାଲ ପାଖ ପର୍ଯ୍ୟନ୍ତ ବର୍ତ୍ତମାନ ସୁଦ୍ଧା ଯେଉଁ ପରିମାଣରେ ଗଭୀରକୁ ଖୋଳା ଗଲାଣି, ଜଳସ୍ତର ବଢିବା ପରେ ଯଦି ଯେଉଁ କିଛି କେନାଲ ହୁଡ଼ା ଅଛି କୌଣସି କାରଣରୁ ଭାଙ୍ଗି ଯାଏ ତେବେ ନିକଟସ୍ଥ ଗ୍ରାମ ଗୋତମରା ସମେତ ସମସ୍ତ ଜମିବାଡ଼ି ପାଣିରେ ବୁଡିଯିବାର ସମ୍ଭାବନା ଜଳଜଳ ଦେଖା ଯାଉଛି l ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଆମେ ବିରୋଧ କରୁନାହୁଁ କିନ୍ତୁ ବର୍ତ୍ତମାନ ଓ ଭବିଷ୍ୟତରେ ଲୋକାଭିମୁଖୀ କାର୍ଯ୍ୟ ଆଳରେ ଅଞ୍ଚଳବାସୀ ଯେପରି ହଇରାଣ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେଇ ବିଭାଗୀୟ ଅଧିକାରୀ ମାନେ ନିଜନିଜ ଭିତରେ ସମନ୍ୱୟ ରଖି କାର୍ଯ୍ୟ କରିବାର ଆବଶ୍ୟକତା ଅଛି ବୋଲି ଅଞ୍ଚଳବାସୀ ମାନେ କହିଛନ୍ତି l

June 15, 2026/
No Comments


