ସାରା ଦେଶରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ୧୦ କୋଟି ଗଛ ଲଗାଇବାର ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ନୂଆଦିଲ୍ଲୀ ଗୋଲମାର୍କେଟସ୍ଥିତ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଛାତ୍ରଛାତ୍ରୀମାନଙ୍କ ସହ ‘ଏକ ପେଡ୍ ମା’କେ ନାମ୍-୨.୦’ ଅଭିଯାନର ଶୁଭାରମ୍ଭ କରି କେନ୍ଦ୍ରମନ୍ତ୍ରୀ ପ୍ଲାଷ୍ଟିକ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷାରେ ଅଂଶୀଦାର ହେବା ପାଇଁ ପରାମର୍ଶ ଦେଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି, ଜାତୀୟ ଶିକ୍ଷାନୀତି ଅଧୀନରେ ସ୍କୁଲ ଶିକ୍ଷା ବିଭାଗ ଦ୍ୱାରା ପରିବେଶଗତ ଶିକ୍ଷାକୁ ମୁଖ୍ୟ ଧାରାରେ ଆଣିବା ପାଇଁ ଚେଷ୍ଟା କରାଯାଉଛି। ସ୍କୁଲଗୁଡ଼ିକରେ ‘ଇକୋ-କ୍ଲବ୍ ଫର ମିଶନ ଲାଇଫ୍’ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ସଚେତନ କରାଇବ। ଦେଶରେ ବୃଦ୍ଧି ପାଉଥିବା ମେଦବହୁଳତା ସମସ୍ୟା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିବା ସହ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ କମ୍ ତୈଳଯୁକ୍ତ ଖାଦ୍ୟ ଖାଇବା ଏବଂ ଜଙ୍କ୍ଫୁଡ୍ ବର୍ଜନ ପାଇଁ ପରାମର୍ଶ ଦେଇଛନ୍ତ।



