ଓଭରଲୋଡ଼ ପ୍ରସଙ୍ଗକୁ ନେଇ ଆଞ୍ଚଳିକ ଠିକା ମଜଦୁର ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ତାଳଚେର ,୨୦/୦୬ କୋଇଲା ଖଣିଗୁଡ଼ିକରେ କୋଇଲା ଉତ୍ତୋଳନ ଓ ପରିବହନ ନେଇ ନିଯୁକ୍ତ ଟ୍ରକ୍ଗୁଡ଼ିକରେ ଓଭରଲୋଡ ହେଉଥିବା ନେଇ ଗୁରୁବାର ସନ୍ଧ୍ୟାରେ ତାଳଚେର ଆଞ୍ଚଳିକ ଠିକା ମଜଦୁର ସଂଘ ପକ୍ଷରୁ ଏକ ସମ୍ମିଳନୀ ମାଧ୍ଯମରେ ଅଭିଯୋଗ କରାଯାଇଛି | ସରକାରଙ୍କ ଦ୍ବାରା ଧାର୍ଯ୍ୟଠାରୁ ଅଧିକ କୋଇଲା ବର୍ଷ ବର୍ଷ ଧରି ପରିବହନ ହେଉଥିବାରୁ ଖଣିରେ କାର୍ଯ୍ୟରତ ଶ୍ରମିକଙ୍କ ଜୀବନ ପ୍ରତି ବିପଦ ଦେଖା ଦେଉଥିବା ସଂଘ ପକ୍ଷରୁ କୁହାଯାଇଛି। ଏହାସହ କୋଇଲା ପରିବହନ ନେଇ ଯେତିକି ଗାଡ଼ି ଆବଶ୍ୟକ ତା’ଠାରୁ କମ୍ ଗାଡ଼ିରେ କୋଇଲା ପରିବହନ କରାଯାଉଥିବାରୁ ସ୍ଥାନୀୟ ଲୋକେ ଗାଡ଼ି ଖଣ୍ଡେ ଖଣ୍ଡେ କରିଥିଲେ ମଧ୍ୟ କାମ ପାଇପାରୁ ନାହାନ୍ତି। ଫଳରେ ବେକାରୀ ସମସ୍ୟା ତାଳଚେର ଅଞ୍ଚଳରେ ବଢ଼ି ଚାଲିଛି | ଏହି ସମସ୍ୟା ନେଇ ତାଳଚେର ଉପଜିଲ୍ଲାପାଳ ଏବଂ ଏମସିଏଲ କର୍ତ୍ତୃପକ୍ଷଙ୍କୁ ସଂଘ ତରଫରୁ ଲିଖୁତ ଅଭିଯୋଗ କରାଯାଇଥିଲା। ଗତ ୧୬ ତାରିଖ ଉପଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ସେଥ୍ରେ ଏହି ସମସ୍ୟା ନେଇ ଆଲୋଚନା ହୋଇ ସରକାରୀ ନିୟମ ମୁତାବକ କାର୍ଯ୍ୟ କରିବାକୁ ଉପଜିଲ୍ଲାପାଳ ଏମସିଏଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ | ମାତ୍ର ସର୍ବୋଚ୍ଚ ନ୍ୟାୟାଳୟ ଭାରତ ସରକାର, ରାଜ୍ୟ ପରିବହନ ବିଭାଗ ଓ ଖଣି ସୁରକ୍ଷା ବିଭାଗର ନିର୍ଦ୍ଦେଶାବଳୀ ପରେ ମଧ୍ୟ ଏହି ନିୟମ ଖଣିରେ ଉଲ୍ଲଙ୍ଘନ କରାଯାଉଥିବା ସଂଘ ତରଫରୁ ଅଭିଯୋଗ କରାଯାଇଛି | ଆଗାମୀ ଦିନରେ ଖଣି କର୍ତ୍ତୃପକ୍ଷ ଓଭରଲୋଡିଂ ବନ୍ଦ ନ କଲେ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ସଂଘ ସଭାପତି ବିରଞ୍ଚି ସାହୁ, ସମ୍ପାଦକ ବିଜୟ ବିଶ୍ଵାଳଙ୍କ ସମେତ ମହେନ୍ଦ୍ର ବେହେରା, ନିରଞ୍ଜନ ପ୍ରଧାନ, ଗିତିସ୍ ପ୍ରଧାନ, ସ୍ବାଧୀନ ଥମ୍ବ, ରଙ୍ଗାଧର ନାହାକ ପ୍ରମୁଖ ଉପସ୍ଥିତ ଥିଲେ।



