ଭଲ ଖେଳି ହାରିଲା ଭାରତ । ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଦ୍ୱିତୀୟ ଇନିଂସରେ ୧୯୩ ରନ କରିପାରିଲାନି ଭାରତ । ଫଳରେ ଇଂଲଣ୍ଡ ୨୨ ରନରେ ବିଜୟୀ ହୋଇଛି। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ଲାଭ କରିଛି।
ଗୋଟିଏ ପଟରେ ଏକାକୀ ଲଢ଼େଇ କରି ଜାଡେଜା ୬୧ ରନରେ ଅପରାଜିତ ରହିଥିଲେ ମଧ୍ୟ ଭାରତର ଦ୍ୱିତୀୟ ଇନିଂସ ୧୭୦ ରନରେ ସୀମିତ ରହି ଯାଇଥିଲା।
ଚତୁର୍ଥ ଦିବସର ଅସମାପ୍ତ ସ୍କୋର ୫୮/୪ରୁ ଖେଳ ଆରମ୍ଭ କରିଥିବା ଭାରତ ଶୀଘ୍ର ରିଷଭ ପନ୍ତ, ଲୋକେଶ ରାହୁଲ ଓ ଓ୍ବାଶିଂଟନ ସୁନ୍ଦରଙ୍କ ଉଇକେଟ ହରାଇଥିଲା। ପନ୍ତ ୯, ରାହୁଲ ୩୯ ରନ କରିଥିବାବେଳେ ସୁନ୍ଦର ଖାତାଖୋଲି ପାରି ନ ଥିଲେ। ଫଳରେ ୨୫ ଓଭର ବେଳକୁ ସ୍କୋର ୮୨/୭ ହୋଇ ଯାଇଥିଲା। ରବୀନ୍ଦ୍ର ଜାଡେଜା ଓ ନୀତୀଶ କୁମାର ରେଡ୍ଡୀ ସତର୍କତାର ସହ ବ୍ୟାଟିଂ କରି ଇନିଂସ ସମ୍ଭାଳି ନେବାକୁ ଚେଷ୍ଟା କରିଥିଲେ।ତେବେ ୮ମ ଉଇକେଟରେ ୩୦ ରନ ଯୋଗ ହେବାପରେ ନୀତୀଶ ୫୩ ବଲ୍ରୁ ୧୩ ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ଏକାକୀ ଲଢ଼େଇ ଜାରି ରଖିଥିଲେ ଜାଡେଜା। ଯଶପ୍ରୀତ୍ ବୁମ୍ରା ମାତ୍ର ୫ ରନ କରିଥିଲେ ହେଁ ସେ ତାଙ୍କ ସହିତ ୯ମ ଉଇକେଟରେ ୧୩୨ ବଲ୍ରୁ ୩୫ ରନ ଯୋଗକରି ଭାରତକୁ ଲକ୍ଷ୍ୟ ପଥରେ ଆଗେଇ ନେଇଥିଲେ।
ବୁମ୍ରା ୫୪ଟି ବଲ୍ର ସମ୍ମୁଖୀନ ହେବାପରେ ଧୈର୍ଯ୍ୟହରା ହୋଇ ବେନ୍ ଷ୍ଟୋକ୍ସଙ୍କ ଏକ ବଲ୍କୁ ପୁଲ୍ କରିବାକୁ ଯାଇ ମିଡ୍-ଅନ୍ରେ ସବ୍ଷ୍ଟିଚ୍ୟୁଟ ଖେଳାଳି ସାମ୍ କୁକ୍ଙ୍କୁ କ୍ୟାଚ ଦେଇଥିଲେ। ଶେଷ ଉଇକେଟରେ ମଧ୍ୟ ମହମ୍ମଦ ସିରାଜଙ୍କ ସହ ଲଢ଼ିଥିଲେ ଜାଡେଜା। ସେ ୧୫୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହାଥିଲା ତାଙ୍କ କ୍ୟାରିୟରର ଏବଂ ଚଳିତ ସିରିଜର ସବୁଠାରୁ ଧିମା ଅର୍ଦ୍ଧଶତକ ।ଚଳିତ ସିରଜରେ ସେ ୪ ଅର୍ଦ୍ଧଶତକ ହାସଲ କରି ନିଜ ଫର୍ମର ପରିଚୟ ଦେଇଥିଲେ। ଅନ୍ତିମ ଉଇକେଟରେ ୨୩ ରନ ସଂଗ୍ରହ ପରେ ମହମ୍ମଦ ସିରାଜ ୪ ରନକରି ଆଉଟ ହେବା ସହ ଭାରତ ଇନିଂସ ଶେଷ ହୋଇ ଯାଇଥିଲା। ଜାଡେଜା ୧୮୧ଟି ବଲ୍ର ସମ୍ମୁଖୀନ ହୋଇ ୪ ଚୌକା ଓ ୧ ଛକା ସହାୟତାରେ ୬୧ ରନକରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ଓ ବେନ୍ ଷ୍ଟୋକ୍ସ ୩ଟି ଲେଖାଏ, ବ୍ରାଇଡନ କାର୍ସ ୨ଟି ଏବଂ କ୍ରିସ୍ ଓ୍ବକ୍ସ ଓ ଶୋଏବ ବଶିର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।



