ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନରୁ ଅଧିକ ସମୟ ଅତିବାହିତ କରିବା ପରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ତଥା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ପୃଥିବୀକୁ ଫେରିଛନ୍ତି । ସେ ଆକ୍ସିଅମ୍-୪ ମିସନର ଅଂଶ ଭାବରେ ତାଙ୍କର ତିନିଜଣ ଅନ୍ତର୍ଜାତୀୟ ସହଯୋଗୀଙ୍କ ସହିତ ସ୍ପେସ୍ଏକ୍ସର ଡ୍ରାଗନ୍ କ୍ୟାପସୁଲ୍ “ଗ୍ରେସ୍” ଯୋଗେ ଫେରିଛନ୍ତି ।
ଶୁଭାଂଶୁ ଏବଂ ତାଙ୍କ ଟିମ୍କୁ ବହନ କରୁଥିବା କ୍ୟାପସୁଲ୍ଟି ଭାରତୀୟ ସମୟ ଅନୁସାରେ ଆଜି ଅପରାହ୍ନରେ କାଲିଫର୍ଣ୍ଣିଆ ଉପକୂଳରେ ପ୍ରଶାନ୍ତ ମହାସାଗରରେ ଅବତରଣ କଲା । ତେବେ ତାଙ୍କ ପରିବାର ଓ ଦେଶବାସୀଙ୍କ ନିକଟରେ ସେ ପହଞ୍ଚିବାକୁ ଆହୁରି କିଛି ସମୟ ଲାଗିବ । ସ୍ପ୍ଲାଶଡାଉନ୍ ପରେ, ଉଦ୍ଧାରକାରୀ ଦଳ ସେମାନଙ୍କୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାରକୁ ଆଣିବେ ।
ପହଞ୍ଚିବା ପରେ ଶୁଭାଂଶୁ ଏବଂ ତାଙ୍କ ସାଥୀମାନଙ୍କୁ ଡାକ୍ତରୀ ନିରୀକ୍ଷଣରେ ରଖାଯିବ ଏବଂ ସେମାନେ ପୃଥିବୀର ମାଧ୍ୟାକର୍ଷଣ ସହିତ ପୁଣି ଥରେ ଅଭ୍ୟସ୍ତ ହେବା ପାଇଁ ଏକ ସାତ ଦିନିଆ ପୁନର୍ବାସରେ ରହିବେ । ISSରେ ଥିବା ସମୟରେ ଶୁଭାଂଶୁ ୬୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ, ଯାହା ଭାରତର ମହତ୍ତ୍ୱାକାଂକ୍ଷୀ ଗଗନଯାନ କାର୍ଯ୍ୟକ୍ରମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଏହି ଐତିହାସିକ ମିସନ୍ ସମୟରେ ଶୁଭାଂଶୁ ଆଇଏସ୍ଏସ୍ରେ ୬୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ କରିଛନ୍ତି । ଏଥିରେ ଇସ୍ରୋ ଦ୍ୱାରା ପରିଚାଳିତ ୭ଟି ମାଇକ୍ରୋଗ୍ରାଭିଟି ପରୀକ୍ଷଣ ମଧ୍ୟ ସାମିଲ ଅଛି । ତାଙ୍କର ଏହି ମିସନ୍ ଭାରତର ଆଗାମୀ ମାନବ ମହାକାଶ ମିସନ୍ “ଗଗନଯାନ” ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।



