ଛାତ୍ରୀ ଆତ୍ମଦାହ ଘଟଣାର ପ୍ରତିବାଦରେ ଭଟଲି ବନ୍ଦ ସଫଳ

ଭଟଲି,୧୭/୭ (ଅଭିମନ୍ୟୁପଧାନ): ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଛାତ୍ରୀ ସ୍ବର୍ଗତ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାର ପ୍ରତିବାଦ ଏବଂ ନ୍ୟାୟ ଦାବୀରେ ରାଜ୍ୟ କଂଗ୍ରେସ ଏବଂ ବିଭିନ୍ନ ଦଳ ତଥା ସଂଗଠନ ପକ୍ଷରୁ ରା ବନ୍ଦ ପାଇଁ ଗତକାଲି କୌଣସି ସୂଚନା ଦିଆଯାଇ ନଥିବାରୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ,କଲେଜ, ଦୋକାନ ବଜାର ସକାଳେ ଖୋଲାଥିବା ଦେଖା ଯାଇଥିଲା। ସକାଳ ୧୦ ଟା ପରେ ଭଟଲି ନିର୍ବାଚନ ମଣ୍ଡଳୀର ଗତ ନିର୍ବାଚନର ବିଧାୟକ ପ୍ରାର୍ଥୀ କଂଗ୍ରେସ ନେତା ବ୍ରହ୍ମାନନ୍ଦ ମହାକୁଡ଼ଙ୍କ ଅଳ୍ପ ସଂଖ୍ୟକ ସମର୍ଥକଙ୍କ ସହିତ ପିକେଟିଂ କରି ଦୋକାନ ବଜାର, ସ୍କୁଲ, କଲେଜ, ବ୍ୟାଙ୍କ ତଥା ସରକାରୀ କାର୍ଯ୍ୟାଳୟ ମାନ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ।

ଏହାକୁ ସମର୍ଥନ ଜଣାଇ ଅଖଚକ ଏବଂ ଜରୁରୀ କାଳୀନ ସେବା ବ୍ୟତୀତ ସ୍କୁଲ, କଲେଜ, ବ୍ୟାଙ୍କ, କୋର୍ଟ, କଚେରୀ, ଦୋକାନ, ବଜାର, ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିଥିବା ଦେଖାଯାଇଥିଲା। ଏହି ଅବସରରେ ଆନ୍ଦୋଳନ କାରୀ ଭଟଲି ବିଜୟା ଛକ ଠାରେ ପ୍ରତୀକାତ୍ମକ ଭାବେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । କଂଗ୍ରେସ ନେତା ବ୍ରହ୍ମାନନ୍ଦ ମହାକୁଡ଼ ଏବଂ ଫରୱାର୍ଡ ବ୍ଲକ ରାଜ୍ୟ ଉପସଭାପତି ଗୋପାଳ ଚନ୍ଦ୍ର ଅଗ୍ରୱାଲ ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଏଥିରେ ଯୋଗ ଦେଇଥିଲେ। ଏହି ଆନ୍ଦୋଳନକୁ ସ୍ବତଃ ପ୍ରବୃତ୍ତ ଭାବେ ସମର୍ଥନ ଜଣାଇ କାଁଭାଁ ଦୋକାନକୁ ଛାଡ଼ି ପ୍ରାୟତଃ ଭଟଲି ବନ୍ଦ ରହିଥିଲା ।




