ତାଳଚେର ପୁଣି ଡରାଇଲାଣି ଡ଼େଙ୍ଗୁ
ତାଳଚେର, ୨୦/୦୭ ପ୍ରାୟ ୨୦୧୦-୧୧ରେ ତାଳଚେର ଅଂଚଳରେ ପ୍ରଥମେ ଡ଼େଙ୍ଗୁ ଜ୍ୱରର ଆର୍ବିଭାବ ହେବାପରେ ଏଥିରେ ଶତାଧିକ ଲୋକ ଆକ୍ରାନ୍ତ ହୋଇ ସେଥିରୁ କିଛି ମୃତାହତ ହୋଇଥିବା ଘଟଣା ସେହି ସମୟରେ ଆତଙ୍କ ଖେଳାଇ ଦେଇଥିଲା । ଡ଼େଙ୍ଗୁର କୌଣସି ନାମ ନିଶାନ ନଥିବା ବେଳେ ପ୍ରଥମେ ତାଳଚେରରେ ଏହି ଲକ୍ଷଣ ଦେଖା ଦେବାପରେ ଏହା ସମଗ୍ର ଓଡ଼ିଶାକୁ ବ୍ୟାପିଥିଲା । ସେହି ସମୟରେ ଲୋକମାନେ ସତର୍କତା ଅବଲମ୍ବନ କରିବା ସହିତ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଥିନେଇ ତତ୍ପରତା ପ୍ରକାଶ ପାଇଥିଲା । ପୁଣି ଏବେ ତାଳଚେର ଅଂଚଳରେ ଡ଼େଙ୍ଗୁ ପ୍ରାର୍ଦୁଭାବ ଦେଖିବାକୁ ମିଳିଛି । ତାଳଚେର ଜଗନ୍ନାଥପୁର ପଂଚାୟତ ଅଧିନସ୍ଥ ଏଫସିଆଇ ମୁଣ୍ଡାହଟିଙ୍ଗରେ ଘରେଘରେ ଡ଼େଙ୍ଗୁ ରୋଗୀ ଚିହ୍ନଟ ହେବାପରେ ଆତଙ୍କ ଖେଳାଇ ଦେଇଛି । ଡ଼େଙ୍ଗୁ ଜ୍ୱରରେ ପିଡ଼ୀତ ହୋଇ ଗୋଡ଼ିବନ୍ଧ, ସେଟ୍ରାଂଲ ହସପିଟାଲ, ତାଳଚେର ମେଡ଼ିକାଲ ଓ ଜିଲ୍ଳା ଡ଼ାକ୍ତରଖାନାରେ ରୋଗୀ ଚିକିତ୍ସିତ ହେଉଥିବା କୁହାଯାଉଛି । ସେମାନଙ୍କ ଠାରୁ ରକ୍ତ ନମୁନା ନେଇ ପରୀକ୍ଷା କରିବା ପରେ ଡ଼େଙ୍ଗୁରେ ସେମାନେ ଅକ୍ରାନ୍ତ ବୋଳି ଜଣାପଡ଼ିଛି । ତେବେ ପୂର୍ବରୁ ବାରମ୍ବାର ଗଣମାଧ୍ୟମରେ ଡ଼େଙ୍ଗୁ ଖବର ପ୍ରକାଶିତ ହେଉଥିଲେ ମଧ୍ୟ କେହି ହେଲେ କର୍ଣ୍ଣପାତ କରୁନଥିବା ଦୁଃଖଦ କାରଣ ହୋଇଛି । ବର୍ତମାନ ସହର ଠାରୁ ଗ୍ରାମାଚଂଳ ପର୍ଯ୍ୟନ୍ତ ଯେଉଁଠି ଦେଖିବ ସେଇଠି ଟାୟାର ଭିତରେ ପାଣି, ବିଭିନ୍ନ ରାସ୍ତାକଡ଼ରେ ପଚାଷଢ଼ା ପାଣି ଜମିବା, ଅନାବନା ଗଛ, ଘାସଲଟା, କୁଢ଼କୁଢ଼ ଅଳିଆ ଆବର୍ଜନା ଗଦାହୋଇ ରହୁଥିବା ବେଳେ ସ୍ଥାନୀୟ ପ୍ରଶାସନର ତିଳେମାତ୍ର ନିଘା ନଥିଲା ଭଳି ମନେ ହେଉଛି । ଗ୍ରାମାଚଂଳ କଥା ଛାଡ଼ ସହରାଚଂଳରେ ଡ଼୍ରେନ, ଖାଲଖମଣା, କୂଅ ଇତ୍ୟାଦିରେ ନା ପଡ଼ୁଛି ବ୍ଳଇଚିଙ୍ଗ ନା ପଡ଼ୁଛି ମଶାତେଲ କି ହେଉଛି ପ୍ରତିକାର ବ୍ୟବସ୍ଥା । ଦିନ ଥାଉଥାଉ ପ୍ରଶାସନ କିମ୍ବା ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।



