ରାଜଧାନୀ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ରାଜ୍ୟ ସରକାର ବାତିଲ୍ କରିଛନ୍ତି। ସିଇଆଇଜିଆଇଏଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍କୁ ପୂର୍ବ ସରକାର କଣ୍ଟ୍ରାକ୍ଟ ଦେଇଥିଲେ। କିନ୍ତୁ ଏହି ଦୁଇ କଂପାନି ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ବେ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଦେଇନାହାନ୍ତି।
ଏପରିକି ଦୁଇ କଂପାନି ମେଟ୍ରୋ ରେଳ ପ୍ରକଳ୍ପକୁ ନଷ୍ଟ କରିଥିବା ଅଭିଯୋଗ ଆଣି ଓଡ଼ିଶା ସରକାର ଏଭଳି କଠୋର ପଦକ୍ଷେପ ନେଇଥିବା କୁହାଯାଇଛି। ୨୦୨୪ ନିର୍ବାଚନ ପୂର୍ବରୁ ପୂର୍ବ ସରକାର ମେଟ୍ରୋ ପ୍ରକଳ୍ପର ନିଅଁ ଦେଇଥିଲେ । ୨୦୨୪-୨୫ ବଜେଟରେ ଏ ପ୍ରକଳ୍ପ ପାଇଁ ଅର୍ଥ ବରାଦ ହେଲା ।
ଆରମ୍ଭରୁ କୁହାଗଲା, ସହର ଉପରେ ଏଲିଭେଟେଡ୍ କରିଡରରେ ମେଟ୍ରୋ ରେଳ ପଥ ନିର୍ମାଣ ହେବ । କିଛି ମାସ ପାଇଁ ସହରରେ ମାଟି ପରୀକ୍ଷା ପାଇଁ ଖୋଳାତଡ଼ା ଆରମ୍ଭ ହେଲା । ପୁଣି କ’ଣ ହେଲା କେଜାଣି ସବୁ କାମ ବନ୍ଦ, ନିର୍ମାଣ ସାମଗ୍ରୀ ଉଠାଇ ନିଆଗଲା । ବର୍ତ୍ତମାନ ସରକାର କହୁଛନ୍ତି, ମାଟି ତଳେ ମେଟ୍ରୋ ଚାଲିବ । ମେଟ୍ରୋ ରେଳ ପାଇଁ କମିଟି ଗଠନ କରାଯାଇଛି । ଗତ ୧୬ ତାରିଖରେ ଏ ନେଇ ବୈଠକ ବସିଥିଲା । ମେଟ୍ରୋ ପ୍ରକଳ୍ପକୁ ନେଇ ବାରମ୍ବାର ଭିନ୍ନ କଥା, ଭିନ୍ନ ଢାଞ୍ଚା, ନୂଆ ବୟାନବାଜି ନେଇ ମେଟ୍ରୋ ପ୍ରକଳ୍ପକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି ।ତେବେ ଭୁବନେଶ୍ବର ମେଟ୍ରୋ ନେଇ କମିଟି ଗଠନ ହୋଇଛି । ଏହି କମିଟି ଥରେ ବୈଠକ କରିଛି । ଆଗକୁ ପୁଣି ବୈଠକ ବସି ଆଲୋଚନା ହେବ । ନୂଆ ଡିପିଆର୍ ପ୍ରସ୍ତୁତ ପରେ କେନ୍ଦ୍ରକୁ ପ୍ରସ୍ତାବ ପଠାଯିବ । କେନ୍ଦ୍ରର ସହଯୋଗରେ ପ୍ରକଳ୍ପ ହେବ । ନୂଆ ଢାଞ୍ଚାରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ।



