ଆଉ ଦେଖିବାକୁ ମିଳୁନି ସାଧବବୋହୂ : ତାଳଚେର
ତାଳଚେର, ୨୭/୦୭ ଖୋଲା ପଡ଼ିଆ, ଜଙ୍ଗଲ, ବଣ ପାହାଡ, ବିଲହୁଡ଼ା଼ ଓ ଚାଷଜମି ଇତ୍ୟାଦି ଗୁଡ଼ିକରେ ବର୍ଷା ଦିନ ଆସିଲେ ନାଲିରଙ୍ଗର କୋମଳ ଶରୀର ଅତି ସୁନ୍ଦର ପାଟପୋକ ମାନଙ୍କୁ ଦେଖିବାକୁ ମିଳିଥାଏ । ଏହି ସାଧବବୋହୂ ଦେଖିବାକୁ ଛୋଟଛୋଟ ପିିଲାମାନଙ୍କ ସମେତ ବଡ଼ ଲୋକମଧ୍ୟ ଅତ୍ୟନ୍ତ କୌତୁୁହଳ ବସତଃ ହାତରେ ଧରି ଆଦର କରିଥାନ୍ତି । ବର୍ଷାଋତୁରେ ପିଲାମାନେ ଏହାକୁ ଧରି ତାର କୋମଳ ଶରୀରର ସ୍ପର୍ଶ ଜନିତ ଆନନ୍ଦ ନେଇଥାନ୍ତି । କେବଳ ସେତିକି ନୁହେଁ ଏହି ନାଲ ରଙ୍ଗର ପୋକ ସାଧବ ବୋହୁ ନାମରେ ପରିଚିତ । ଏହି ପୋକ ଅଧିକାଂଶ କ୍ଷେତ୍ରରେ ଚାଷଜମିରେ ହିଁ ଦେଖିବାକୁ ମିଳିନଥାଏ । କାରଣ ଏହି ପୋକ ବର୍ଷା ଦିନ ହେଲେ ଚାଷଜମିରେ ହିଁ ଜନ୍ମ ନେଇଥାଏ । ଚାଷ ଜମିରେ ହିଁ ତାର ମଳତ୍ୟାଗ କରିବା ସହିତ ବଂଶ ବିସ୍ତାକରି ଚାଷ ଜମିକୁ ଉର୍ବର କରି ଥାଏ ଏବଂ କିଛି ଦିନପରେ ଜମିରେ ହିଁ ତାର ମୃତ୍ୟୁ ଘଟିଥାଏ । ଫଳରେ ଚାଷଜମିରେ ତାର ଶରୀର ଏକ ପ୍ରକାର ଜୈବିକ ସାର ଭାବରେ କାର୍ଯ୍ୟ କରୁଥିଲା ଓ ଚାଷଜମିର ଉତ୍ପାଦକତାରେ କୌଣସି କୁପ୍ରଭାବ ପଡ଼ୁନଥିଲା । କିମ୍ବା ଏହା ଦ୍ୱାରା ଉତ୍ପାଦିତ ଶସ୍ୟକୁ ଖାଇ ଲୋକେ କୌଣସି ରୋଗକ୍ରାନ୍ତ ହେଉନଥିଲେ । ଏହାର ପରିମଣାମ ସ୍ୱରୂପ ଜୈବିକ ପ୍ରଣାଳୀରେ ଚାଷକାର୍ଯ୍ୟ ପ୍ରାକୃତିକ ଉପାୟରେ ହେଉଥିଲା । ସେତେବେଳ କୌଣସି ରାସାୟନିକ ସାରର ଆବଶ୍ୟକତା ପଡ଼ୁନଥିଲା । କାଳକ୍ରମେ କୃଷିରେ ରାସାୟନିକ ସାରର ପ୍ରୟୋଗରେ କୃଷି ଅଧିକ ଅମଳକ୍ଷମ କରିବା ପାଇଁ ଯୋଜନା କରାଯିବା ଫଳରେ ଏହାର ରସାୟନିକ ପ୍ରଭାବରେ ଏହି ସାଧବ ବୋହୁ(ପାଟପୋକ) ଗୁଡ଼ିକ ଲୋପ ପାଇବାରେ ଲାଗିଲେ । ଏହାର କୁପ୍ରଭାବରେ ଚାଷଜମିର ଉତ୍ପାଦକ ମଧ୍ୟ ପ୍ରଭାବିତ ହେବା ସହିତ ରସାୟନିକ ସାରର ବ୍ୟବହାର କରାଯାଇଥିବା କୃଷି ଉତ୍ପାଦନ ସାମଗ୍ରୀ ଖାଇ ଲୋକେ କାଳକ୍ରମ ବିଭିନ୍ନ ରୋଗରେ ପିଡ଼ିତ ହେବାର ଲକ୍ଷ୍ୟ କରାଯାଇଛି । ଏହାର ଦୀର୍ଘଦିନ ପରେ କୃଷି ବିଭାଗ ଏବଂ କୃଷି ବୈଜ୍ଞାନିକମାନେ ରସାୟନିକ ସାରର କୁପରିଣାମ ବାବଦରେ ଜାଣିବାପରେ ବର୍ତମାନ କୃଷି ବିଭାଗ ପୁଣି ସେହି ପୂରାତନ ଜୈବକ କୃଷି ପ୍ରଣାଳୀକୁ ଆପଣେଇବା, ଜିଆ, ଖତ ଓ ଭର୍ମିମ୍ପୋଷ୍ଟ ତିଆରି କରିବାକୁ ଚାଷିମାନଙ୍କୁ ଉତ୍ସାହିତ କରୁଛନ୍ତି । ସେହିପରି ଏହି ସାଧବ ବୋହୁ (ପାଟପୋକ)କୁ ଏବଂ କୃଷି ପାଇଁ ଯେଉଁ ଉପକାରୀ କୀଟମାନେ ସାୟକ ହୋଇଛନ୍ତି, ତାଙ୍କ ବଂଶ ବିସ୍ତାର ଦିଗରେ ଚିନ୍ତା କରିବାର ସମୟ ଆସିଛି । ଯେମିତି ଧାନ ବିଲରେ ମାଛ ମଧ୍ୟ ରହୁଥିଲେ । ସେମାନେ ଚାଷପାଇଁ କ୍ଷତିକାରକ କୀଟମାନଙ୍କୁ ଖାଇ ଜମିରେ ମଳତ୍ୟାଗ କରୁଥିଲେ । ତାହା ମଧ୍ୟ ଏପ୍ରକାର ଜୈବିକ ସାର ପାଇଁ ସହାୟକର କାର୍ଯ୍ୟ କରୁଥିଲା । ରସାୟନିକ ସାରର ବ୍ୟବହାରରେ ଏସବୁ ଫସଲ ଧିରେ ଧିରେ ଲୋପପାଇବାରେ ଲାଗିଛନ୍ତି । ବର୍ତମାନ ବର୍ଷାଋତୁ ଚାଲିଥିଲେ ହେଁ ଏହି ସାଧବ ବୋହୂ ଆଉ ଦେଖିବାକୁ ମିଳୁ ନାହାନ୍ତି । ଜଙ୍ଗଲ ନଷ୍ଟ, ଜଳବାୟୁ ପରିବର୍ତନ, ଚାଷଜମିରେ ରାସାୟନିକ ସାର ପ୍ରୟୋଗ ଏମାନଙ୍କ ବଂଶ ବିଲୁପ୍ତ ହେବାର ପ୍ରମୁଖ କାରଣ । ତେଣୁ ଏମାନଙ୍କର ପୁନରୁଉଦ୍ଧାର ର ଆବଶ୍ୟକତା ରହିଛି ଓ ଜଙ୍ଗଲ ସୃଷ୍ଟି କରାଯାଇ ପୂର୍ବ ଅବସ୍ଥାକୁ ଫେରାଇ ଆଣି ପାରିଲେ ପ୍ରକୃତିର ସମୟ ଚକ୍ର ସଠିକ୍ ଋତୁରେ ଘଟିବ ବୋଲି ବିଶେଷଜ୍ଞଙ୍କ ମତରୁ ଜଣାଯାଇଛି ।



